ନୂଆଦିଲ୍ଲୀ: ଭାରତରେ କ‌ୋଭିଡ୍‌ ଟିକାର ବୁଷ୍ଟର୍‌‌ ପରୀକ୍ଷା ପାଇଁ ବାକି ଥିବା କିଛି ତଥ୍ୟାବଳୀ ଦାଖଲ କରିବାକୁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ‘ଏସ୍‌ଇସି’ ନିର୍ଦେଶ ଦେଇଛି।

Advertisment

ବିଶ୍ବର ଅନେକ ରାଷ୍ଟ୍ର ‘ଓମିକ୍ରନ୍‌ କରୋନାଭାଇରସ୍‌’ ଆଶଙ୍କା କରୁଥିବା ବେଳେ ବୁଷ୍ଟର୍‌ ଡୋଜ୍‌ ଦିଆଯିବା ପାଇଁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଦାଖଲ କରିଥିବା ପ୍ରସ୍ତାବର ଯଥାର୍ଥତା ଉପରେ ନିକଟ ଅତୀତରେ ଅନୁଷ୍ଠିତ ବୈଠକରେ ‘ଏସ୍‌ଇସି’ ସନ୍ଦେହ ପ୍ରକାଶ କରିଥିଲେ।

ଡିସେମ୍ବର ୧୦ ତାରିଖରେ ଅନୁଷ୍ଠିତ ଉକ୍ତ ବୈଠକରେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ବୁଷ୍ଟର୍‌ ଡୋଜ୍‌ ଦେବା ଲାଗି ଅନୁମତି ଦେବା ପାଇଁ ‘ଏସ୍‌ଇସି’ ମନା କରିଥି‌ଲା।

ପୂର୍ବରୁ ଦାଖଲ କରିଥିବା ପ୍ରସ୍ତାବରେ ଦ୍ବିତୀୟ ଡୋଜ୍‌ ‌‘କୋଭିସିଲ୍‌ଡ୍‌’ ନେବାର ୬ ମାସ ପରେ ବୁଷ୍ଟର୍‌ ଡୋଜ୍‌ ଦେବା ପାଇଁ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଅନୁମତି ଲୋଡ଼ିଥିଲା। ଇଂଲଣ୍ଡ୍‌ରେ ଅକ୍ସଫୋର୍ଡ/ଆଷ୍ଟ୍ରଜେନିକା ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ଫଳାଫଳ ଉପରେ ଉକ୍ତ ପ୍ରସ୍ତାବ ଆଧାରିତ ଥିଲା।

କିନ୍ତୁ, ସେଥିରେ ଥିବା କିଛି ତଥ୍ୟକୁ ଲକ୍ଷ୍ୟ କରି ‘ଏସ୍‌ଇସି’ ଭାରତରେ ବୁଷ୍ଟର୍‌ ଡୋଜ୍‌ ପାଇଁ ଅନୁମତି ଦେବାକୁ ରାଜି ହୋଇ ନ ଥିଲା। ‘ଏସ୍‌ଇସି’ କମିଟି ଲକ୍ଷ୍ୟ କରିଥିଲେ ଯେ, କମ୍ପାନି  ଇଂଲଣ୍ଡ୍‌ରେ ହୋଇଥିବା ଅଧ୍ୟୟନର ମାତ୍ର ୭୫ ଦିନର ତଥ୍ୟ ପ୍ରଦାନ କରିଛି। ଭାରତୀୟମାନଙ୍କ ପାଇଁ ବୁଷ୍ଟର୍‌‌ ଡୋଜ୍‌ର ଆବଶ୍ୟକତା ସଙ୍କ୍ରାନ୍ତରେ କମ୍ପାନି କୌଣସି ତଥ୍ୟ ଦେଇନାହିଁ। ଏହାଛଡ଼ା, ବୁଷ୍ଟର୍‌ ଡୋଜ୍‌ର କୌଣସି ଆଞ୍ଚଳିକ ନୈଦାନିକ ପରୀକ୍ଷାର ତଥ୍ୟ ମଧ୍ୟ କମ୍ପାନି ଦେଇନାହିଁ।

ତେଣୁ, ଭାରତରେ ବୁଷ୍ଟର୍‌ ଡୋଜ୍‌ ଦେବାକୁ ହେଲେ ଦାଖଲ ହୋଇ ନ ଥିବା ଉପ‌ରୋକ୍ତ ତଥ୍ୟାବଳୀ ସବୁ ଦାଖଲ କରିବା ପରେ ବୁଷ୍ଟର୍‌ ଡୋଜ୍‌ କଥା ବିଚାର କରାଯିବ ‌ବୋଲି ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ କୁହାଯାଇଛି।