କାବୁଲର ଗୁରୁଦ୍ବାରାରେ ଆଶ୍ରୟ ନେଇଛନ୍ତି ୩୨୦ ଜଣ ଶିଖ୍ ଓ ହିନ୍ଦୁ

କାବୁଲ : ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟାଲଘୁମାନଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଛି । ସୁରକ୍ଷା ପାଇଁ ତାଲିବାନର ପ୍ରତିଶ୍ରୁତି ସତ୍ତ୍ବେ ସଂଖ୍ୟାଲଘୁମାନେ ଆତଙ୍କରେ ରହିଛନ୍ତି ।

ଆଫଗାନିସ୍ତାନରେ ଥିବା ପ୍ରାୟ ୩୨୦ ଜଣ ଶିଖ ଓ ହିନ୍ଦୁ କାବୁଲସ୍ଥିତ କାର୍ଟେ ପରଓ୍ବାନ ଗୁରୁଦ୍ବାରାରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ମଧ୍ୟରେ ୫୦ ଜଣ ହିନ୍ଦୁ ଓ ୨୭୦ ଜଣ ଶିଖ ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଭାରତ ସରକାର ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ପୁରୀ କହିଛନ୍ତି ଯେ ସେ ଉକ୍ତ ଗୁରୁଦ୍ବାରାର ମୁଖ୍ୟଙ୍କ ସହ ଯୋଗାଯୋଗରେ ଅଛନ୍ତି । ତାଲିବାନ ନେତାମାନେ ଉକ୍ତ ଗୁରୁଦ୍ବାରାକୁ ଆସି ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବୋଲି ଗୁରୁଦ୍ବାରାର ପ୍ରଧାନ (ମୁଖ୍ୟ ପରିଚାଳକ) ସୂଚନା ଦେଇଥିବା ମନ୍ତ୍ରୀ କହିଛନ୍ତି । ଶିରୋମଣୀ ଅକାଳି ଦଳର ମନିନ୍ଦର ସିଂ ସିରସା ମଧ୍ୟ କହିଛନ୍ତି ଯେ ଶିଖ ଓ ହିନ୍ଦୁ ସଂପ୍ରଦାୟର ସୁରକ୍ଷା ପାଇଁ ତାଲିବାନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, କାବୁଲସ୍ଥିତ ଭାରତୀୟ ଦୂତାବାସରେ ଏବେ ପ୍ରାୟ ୨୦୦ କର୍ମଚାରୀ ଓ ଯବାନ ଫସି ରହିଛନ୍ତି । ସେମାନଙ୍କୁ ଆଣିବାକୁ ଭାରତ ସରକାର ପଠାଇଥିବା ଏକ ବିମାନ ଏବେ ବି କାବୁଲ ଏୟାରପୋର୍ଟରେ ଥିଲେ ମଧ୍ୟ ସେଠାରେ ଚାଲିଥିବା ଦଳାଚକଟା ଯୋଗୁଁ ବିମାନ ଆସିପାରୁ ନାହିଁ ।

ସମ୍ବନ୍ଧିତ ଖବର