ନୂଆଦିଲ୍ଲୀ : କାଶ୍ମୀରରେ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ହତ୍ୟା କରୁଛନ୍ତି। ତେଣୁ ସୁରକ୍ଷା ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନିକଟରେ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ବିଶେଷକରି ସଂଖ୍ୟାଲଘୁମାନଙ୍କୁ ହତ୍ୟା ଦ୍ବାରା ୨୦୦୦ ମସିହାରେ ଅନନ୍ତନାଗର ଛତିଶିଙ୍ଗପୋରା ଗ୍ରାମରେ ୩୬ ଜଣ ଶିଖ ବ୍ୟକ୍ତିଙ୍କ ନରସଂହାର ସ୍ମୃତିକୁ ଉଜ୍ଜୀବିତ କରିଛି। ପାକିସ୍ତାନଭିତ୍ତିକ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ କାଶ୍ମୀର ଉପତ୍ୟକାରେ ଏହି ନୂଆ ହିଂସା ଦେଖାଦେଇଛି।
ଶ୍ରୀନଗର ଜିଲ୍ଲାର ଇଦ୍ଗା ଅଞ୍ଚଳରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଶିଖ ପ୍ରିନ୍ସପାଲ ସୁପିନ୍ଦର କୌର ଏବଂ ହିନ୍ଦୁ ଶିକ୍ଷକ ଦୀପକ ଚାନ୍ଦଙ୍କୁ ହତ୍ୟା କରିବା ପରେ ଶିଖମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶିଖ୍ ସରକାରୀ କର୍ମଚାରୀମାନେ କାର୍ଯ୍ୟ ବର୍ଜନ ପାଇଁ ଆହ୍ବାନ ଦେଇଛନ୍ତି। ଉକ୍ତ ମୃତ୍ୟୁକୁ ନେଇ ଆମେ ଚିନ୍ତିତ ବୋଲି ଅଲ୍ ପାର୍ଟିଜ୍ ଶିଖ୍ କୋର୍ଡିନେସନ୍ କମିଟି (ଏପିଏସସିସି) ଅଧ୍ୟକ୍ଷ ଜଗମୋହନ ସିଂହ ରାଇନା କହିଛନ୍ତି। ଇଦ୍ଗା ଘଟଣାର ଦୁଇଦିନ ପୂର୍ବରୁ ହିନ୍ଦୁ ପଣ୍ଡିତ ମାଖନ ଲାଲ ବିନ୍ଦ୍ରୁ ନାମକ ଜଣେ କେମିଷ୍ଟଙ୍କୁ, ବିରେନ୍ଦ୍ର ପୱନ ନାମକ ଜଣେ ରାସ୍ତାପାର୍ଶ୍ବ ବିକାଳୀ ଏବଂ ମହମ୍ମଦ ସାଫି ଲୋନ ନାମକ ଜଣେ ଟାକ୍ସି ଡ୍ରାଇଭରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।