ଭାରତରେ ଆଲୋଡ଼ନ, ପାକ୍‌ରେ ଶିଖ୍‌ ଯୁବତୀଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ, ବିବାହ

ଅମୃତସର : ପାକିସ୍ତାନରେ ଜଣେ ଶିଖ୍‌ ପୁରୋହିତଙ୍କ ଝିଅଙ୍କୁ ଅପହରଣ ପରେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇଛି ଏବଂ ତାଙ୍କୁ ଜଣେ ମୁସଲିମ୍‌ ଯୁବକ ଜୋର୍‌ ଜବରଦସ୍ତ ବିବାହ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଶିଖ୍‌ ସଂପ୍ରଦାୟ ଏହାର ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ୧୯ ବର୍ଷୀୟା ଏହି ଯୁବତୀଙ୍କୁ ମହମ୍ମଦ ଏହସାନ୍‌ ନାମକ ଜଣେ ମୁସଲିମ ଯୁବକ ବଳପୂର୍ବକ ବିବାହ କରିଛନ୍ତି। ଯୁବତୀଙ୍କ ପିତା ଭଗବାନ ସିଂହ ଗୁରୁଦ୍ବାର ତମ୍ବୁ ସାହେବ , ନାନ୍‌କନ ସା‌ହେବ୍‌ରେ ଗ୍ରନ୍ଥି ଅଛନ୍ତି। ସେ ଅଭି‌ଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଅପହରଣ କରିନେବାପରେ ବନ୍ଧୁକ ମୁନରେ ଧର୍ମ ପରିବର୍ତ୍ତନ କରିବାପାଇଁ ବାଧ୍ୟ କରାଯାଇଥିଲା ଏବଂ ଜଣେ ମୁସ୍‌ଲିମ ଯୁବକ ସହ ବିବାହ କରାଯାଇ ଦିଆଯାଇଥିଲା। ବିବାହର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ପାକିସ୍ତାନ ପୁଲିସ ଏହସାନ୍‌ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏହି ଘଟଣା‌ ଏବେ ଭାରତରେ ମଧ୍ୟ କିଛି ସ୍ଥାନରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ମାମଲାରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ପାକିସ୍ତାନ ସହ କଥା ହେବାକୁ କହିଛନ୍ତି। ପଂଜାବରେ ଆଜି ଏହି ଘଟଣା ନେଇ ପାକ୍‌ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସମ୍ବନ୍ଧିତ ଖବର