ପାକିସ୍ତାନରେ ଥମୁନି ଅତ୍ୟାଚାର, ଶିଖ ଯୁବକଙ୍କୁ ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ନେଉନାହିଁ | ଏବେ ପାକିସ୍ତାନର ପେଶାୱାରରେ ଏକ ଶିଖ ଯୁବକଙ୍କୁ ହତ୍ୟା କରାଯାଇଥିବାର ମାମଲା ସାମ୍ନାକୁ ଆସିଛି | ଯୁବକଙ୍କ ମୃତଦେହକୁ ପେଶାୱାରର ଚମକଣି ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ ୨୫ ବର୍ଷୀୟ ଯୁବକ ରବିନ୍ଦର ସିଂଙ୍କୁ କିଛି ଅଜଣା ଦୃବୁର୍ତ୍ତ ହତ୍ୟା କରିଛନ୍ତି | ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଥିବାବେଳେ ଏହା ପଛରେ ଶୁକ୍ରବାର ଦିନର ଘଟଣା ଥିବାର କୁହାଯାଉଛି |


ଶୁକ୍ରବାର ଦିନ ନନକାର ସହରର ଗୁରୁଦ୍ୱାର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା | ଏହି ବିକ୍ଷୋଭର ନେତୃତ୍ୱ ମହମ୍ମଦ ହସନ ନାମକ ବ୍ୟକ୍ତି ନେଇଥିଲେ | ଏହି ବ୍ୟକ୍ତି ଜଣକ ନନକାର ସହରରେ ରହୁଥିବା ଜଣେ ଶିଖ ଯୁବତୀଙ୍କୁ ଅପହରଣ କରି ତାଙ୍କର ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲେ |

ଏହା ପରେ ଶିଖ ସମ୍ପ୍ରଦାୟ ପକ୍ଷରୁ ପ୍ରତିବାଦ କରାଯିବା ପରେ ମହମ୍ମଦ ହସନ ନେତୃତ୍ୱରେ କିଛି ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଭାରତ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନକୁ କଡା ନିନ୍ଦା କରାଯିବା ସହ ଶିଖମାନଙ୍କର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପାକିସ୍ତାନକୁ ଆହ୍ୱାନ ଦିଆଯାଇଥିଲା | ତେବେ ଏହି ପ୍ରତିବାଦ ପାଇଁ ହିଁ ଶିଖ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି | ରବିନ୍ଦର ମାଲେସିଆରେ ରହୁଥିବାବେଳେ ବିବାହ ପାଇଁ ନିଜ ଘରକୁ ଆସିଥିଲେ |

ସମ୍ବନ୍ଧିତ ଖବର