ଆଫଗାନିସ୍ତାନ :  ଗୁରୁଦ୍ବାରାରେ ଶିଖମାନଙ୍କ ପତାକା ‘ନିଶାନ ସାହିବ’ ଲଗାଇବାକୁ ଅନୁମତି ଦେଲା ତାଲିବାନ

କାବୁଲ :  ଆଫଗାନିସ୍ତାନରେ ତାଲିବାନର ଶକ୍ତି ବଢୁଥିବାବେଳେ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର ବଢିଯାଇଛି । ନିକଟରେ ପାକଟିଆ ରାଜ୍ୟରେ ଥିବା ଏକ ଗୁରୁଦ୍ବାରା ଉପରେ ଉଡୁଥିବା ଶିଖମାନଙ୍କ ଧାର୍ମିକ ପତାକା ‘ନିଶାନ ସାହିବ’କୁ ବଳପୂର୍ବକୁ ଓହ୍ଲାଇ ଦିଆଯାଇଥିଲା । ଏହି ଘଟଣାକୁ ନେଇ ସାରା ବିଶ୍ବରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ତାହାକୁ ପୁଣି ଲଗାଇ ଦିଆଯାଇଛି ।

ଆଫଗାନିସ୍ତାନର ପାକଟିଆ ରାଜ୍ୟରେ ଥିବା ଗୁରୁଦ୍ବାରା ଥାଲା ସାହିବ ଶିଖମାନଙ୍କର ଏକ ପବିତ୍ର ଗୁରୁଦ୍ବାରା ଭାବେ ପରିଚିତ । ତେବେ କିଛିଦିନ ତଳେ ତାଲିବାନର କେତେକ ଲୋକ ଏଠାକୁ ଆସି ଗୁରୁଦ୍ବାରାରେ ଥିବା ଶ୍ରଦ୍ଧାଳୁମାନଙ୍କୁ ଧମକ ଦେବା ସହ ପବିତ୍ର ପତାକା ‘ନିଶାନ ସାହିବ’କୁ ଓହ୍ଲାଇ ଦେଇ ନିକଟସ୍ଥ ଏକ ଗଛରେ ବାନ୍ଧିବାକୁ ଗୁରୁଦ୍ବାରା ତତ୍ତ୍ବାବଧାରକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଶିଖ ସଂପ୍ରଦାୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହା ପରେ ଗତକାଲି ତାଲିବାନର କିଛି କମାଣ୍ଡର ଉକ୍ତ ଗୁରୁଦ୍ବାରାକୁ ଆସି ପୁଣି ପତାକା ଲଗାଇବାକୁ ଅନୁମତି ଦେଇଥିଲେ । ଏହା ସହିତ ଗୁରୁଦ୍ବାରା ନିଜ ପରମ୍ପରା ଅନୁସାରେ ଚାଲିପାରିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର