ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ଭେଟିଲେ ଶିଖ୍ ପ୍ରତିନିଧି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ତାଙ୍କ ସରକାରୀ ବାସଭବନ ୭, ଲୋକକଲ୍ୟାଣ ମାର୍ଗରେ ଶିଖ୍ ପ୍ରତିନିଧି ଦଳ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ ଗୁରୁଦ୍ୱାର ଶ୍ରୀ ବାଲାସାହିବଜୀ ପକ୍ଷରୁ ଏକ ‘ଅଖଣ୍ଡପାଠ’ ଆୟୋଜନ କରାଯାଇଥିଲା। ସେପ୍ଟେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଅଖଣ୍ଡ ପାଠ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ଦିନ ଶେଷ ହୋଇଥିଲା । ଶିଖ୍ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗୁରୁଦ୍ୱାର ପକ୍ଷରୁ ପ୍ରସାଦ ଓ ଆଶିଷ ଭେଟି ଦେଇଥିଲେ। ସାକ୍ଷାତ କାଳରେ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ପଗଡ଼ି ବାନ୍ଧି ଓ ଏକ ଶିରୋପା ପ୍ରଦାନ କରି ସମ୍ମାନିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘଜୀବନ କାମନା କରି ଏକ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।

ଶିଖ୍‌ମାନଙ୍କ କଲ୍ୟାଣ ଓ ମର୍ଯ୍ୟାଦା ରକ୍ଷା ପାଇଁ ପଦକ୍ଷେପ ନେଉଥିବାରୁ ପ୍ରତିନିଧି ଦଳ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡିସେମ୍ବର ୨୬କୁ ‘ବୀର ବାଲ ଦିବସ’ ଭାବେ ଘୋଷଣା କରିବା, କର୍ତ୍ତାରପୁର ସାହିବ କରିଡର ପୁନଃ ଉନ୍ମୁକ୍ତ କରିବା, ଗୁରୁଦ୍ୱାରଗୁଡ଼ିକ ଦ୍ୱାରା ଚଳାଯାଉଥିବା ଲାଙ୍ଗର ଉପରୁ ଜିଏସ୍‌ଟି ଛାଡ଼, ଗୁରୁଗ୍ରନ୍ଥ ସାହିବ ଧର୍ମଗ୍ରନ୍ଥ ଆଫଗାନିସ୍ଥାନରୁ ଭାରତରେ ନିରାପଦରେ ପହଞ୍ଚିବା ଇତ୍ୟାଦି ସୁନିଶ୍ଚିତ କରିବା ଘଟଣା ପ୍ରତିନିଧି ଦଳ ମନେ ପକାଇ ଦେଇଥିଲେ। ପ୍ରତିନିଧି ଦଳରେ ସର୍ବଭାରତୀୟ କେନ୍ଦ୍ରୀୟ ଗୁରୁସିଂହ ସଭା ସଭାପତି ତିରବିନ୍ଦର ସିଂ ମାରୱା ଓ ଅନ୍ୟମାନେ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର