ବାପା..ମତେ କ୍ଷମା କରିଦିଅ, ମୁଁ ଆଉ ସହିପାରୁନି ! ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଆମେରିକାରେ ଜୀବନ ହାରିଲେ ମହିଳା

ଆତ୍ମହତ୍ୟା ପୂର୍ବରୁ ଭିଡିଓରେ ବଖାଣିଲେ ଅତ୍ୟାଚାରର କାହାଣୀ

ଲଖନଉ: ଉତ୍ତରପ୍ରଦେଶର ବିଜନୋର ବାସିନ୍ଦା ଜଣେ ଶିଖ ମହିଳା ଆମେରିକାରେ ଆତ୍ମହତ୍ୟା କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ମୃତ୍ୟୁର କାରଣ ପଛରେ ଘରୋଇ ହିଂସା ବୋଲି କୁହାଯାଉଛି। ଅନ୍ୟପଟେ ସେଠାରେ ଥିବା ଶିଖ ସମ୍ପ୍ରଦାୟର ଲୋକମାନେ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେବେଠାରୁ ସୋସିଆଲ ମିଡିଆରେ ମନଦୀପ ପାଇଁ ନ୍ୟାୟ ( ଜଷ୍ଟିସ୍ ଫର ମନଦୀପ୍) ଟ୍ରେଣ୍ଡ ହେଉଛି | ସୂଚନା ଥାଉ କି ଯେ ମହିଳାଙ୍କ ନାମ ମନଦୀପ କୌର ହୋଇଥିବା ବେଳେ ଆଠ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଓ ସେ ସ୍ବାମୀଙ୍କ ସହ ଆମେରିକାରେ ରହିବା ଆରମ୍ଭ କରିଥିଲେ । ମହିଳାଙ୍କ ବାପା ଜସପାଲ ସିଂଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ ସବୁବେଳେ ନିର୍ଯାତନା ଦେଉଥିବାରୁ ଶେଷରେ ତାଙ୍କ ଝିଅ ଜୀବନ ହାରିଛି |

ମନଦୀପ ତାଙ୍କ ସ୍ୱାମୀ ଏବଂ ଦୁଇ ଝିଅଙ୍କ ସହ ନ୍ୟୁୟର୍କରେ ରହୁଥିଲେ। ତେବେ ଏହି ଘଟଣାକୁ ନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି | କୁହାଯାଉଛି ଯେ ସେ ଆତ୍ମହତ୍ୟା କରିବା ପୂର୍ବରୁ ଏହି ଭିଡିଓ ସୁଟିଂ କରିଥିଲେ। ଭିଡିଓରେ ସେ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁରଘର ଲୋକ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରୁଛନ୍ତି। ତାଙ୍କର ପୁତ୍ର ସନ୍ତାନ ନଥିବାରୁ ସେ ନିୟମିତ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିଲେ।  ଏହି ଘଟଣାକୁ ନେଇ ନଜିବାବାଦ ଥାନାର ଅଧିକାରୀ କହିଛନ୍ତି ଯେ ମନଦୀପଙ୍କ ବାପାଙ୍କ ଅଭିଯୋଗ କ୍ରମେ ଯୌତୁକ ଆଇନ ଅନୁଯାୟୀ ରଞ୍ଜୋଦ(ମନଦୀପଙ୍କ ସ୍ୱାମୀ)ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେହିପାଇଁ ନ୍ୟୁୟର୍କରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ବୋଲି ମନଦୀପଙ୍କ ପିତାମାତା କହିଛନ୍ତି।

ମନଦୀପ ଆଠ ବର୍ଷ ପୂର୍ବେ ବିଜନୋରର ବାଦିଆ ଗାଁର ରଞ୍ଜୋଦଙ୍କୁ ବିବାହ କରିଥିଲେ। ମହିଳାଙ୍କ ବାପାଙ୍କ କହିବାନୁସାରେ, ରଞ୍ଜୋଦ ନ୍ୟୁୟର୍କରେ ଟ୍ରକ ଡ୍ରାଇଭର ଥିବାବେଳେ ବିବାହ ପରେ ଦୁହେଁ ଦୁଇ ବର୍ଷ ଧରି ଗାଁରେ ରହୁଥିଲେ ଏବଂ ସେଠାରେ ଏକ ଝିଅ ଜନ୍ମ ହୋଇଥିଲା | ଏହାପରେ ପୁଣି ଏକ ଝିଅ ହୋଇଥିଲା।  ଆଉ ଏହା ପରେ ମନଦୀପଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଇଥିଲା | ତେବେ ପରିବାରର ହସ୍ତକ୍ଷେପ ପରେ ଦୁହେଁ ନ୍ୟୁୟର୍କ ଯାଇଥିଲେ । କିନ୍ତୁ ସେଠାରେ ମଧ୍ୟ ମନଦୀପଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଥିଲା | ଆଉ ଶେଷରେ ସେ ଆତ୍ମହତ୍ୟା କରିଛନ୍ତି |

ସମ୍ବନ୍ଧିତ ଖବର