ପାକିସ୍ତାନରେ ଶିଖ୍ ସମ୍ପ୍ରଦାୟ ‘ଅସ୍ତିତ୍ବ ସଂକଟ’ର ସମ୍ମୁଖୀନ

ନୂଆଦିଲ୍ଲୀ : ପାକିସ୍ତାନରେ ଇସଲାମିକ୍ ସଂଗଠନଗୁଡ଼ିକ ଦ୍ବାରା ଧାର୍ମିକ ସଂଖ୍ୟାଲଘୁଙ୍କ ପାଇଁ ଏକପ୍ରକାର ବାସ-ଅଯୋଗ୍ୟ ପରିବେଶ ସୃଷ୍ଟି କରୁଛନ୍ତି। ଟାର୍ଗେଟ କରି ସଂଖ୍ୟାଲଘୁଙ୍କୁ ହତ୍ୟା କରୁଛନ୍ତି, ଅପହରଣ କରୁଛନ୍ତି ଏବଂ ବଳପୂର୍ବକ ଧର୍ମାନ୍ତରିତ କରାଉଛନ୍ତି। ପାକିସ୍ତାନରେ ଶିଖ୍‌ମାନଙ୍କ ଉପରେ ଆକ୍ରମଣ ଏକ ନିୟମିତ ବ୍ୟାପାରରେ ପରିଣତ ହେଲାଣି। ନିକଟରେ ମେ ୧୫ ତାରିଖରେ ଦୁଇଜଣ ଶିଖ୍ ବ୍ୟବସାୟୀ କୁଲଜିତ ଓ ରଣଜିତ ସିଂହଙ୍କୁ ଖାଇବର ପାଖତୁନଖ୍ବା (କେପି) ପ୍ରଦେଶ ଅନ୍ତର୍ଗତ ପେଶାୱାର ସହର ଉପକଣ୍ଠରେ ହତ୍ୟା କରାଯାଇଛି। ୨୦୧୪ରୁ ଏ ପର୍ଯ୍ୟନ୍ତ କେପି ପ୍ରଦେଶରେ ଏହିପରି ୧୨ଟି ଘଟଣା ଘଟିଲାଣି, ଯେଉଁଥିରେ ଶିଖ୍‌ମାନଙ୍କୁ ଟାର୍ଗେଟ କରାଯାଇଛି।

ଅଧିକନ୍ତୁ ଗତବର୍ଷ ସେପ୍ଟେମ୍ବର ମାସରେ ସତନାମ ସିଂହ ନାମକ ଜଣେ ଶିଖ୍ ୟୁନାନୀ ଚିକିତ୍ସକଙ୍କୁ ପେଶାୱାରସ୍ଥିତ ତାଙ୍କ କ୍ଳିନିକରେ ଗୁଳିକରି ହତ୍ୟା କରାଯାଇଥିଲା। ଇସ୍‌ଲାମିକ୍ ଷ୍ଟେଟ୍ ଖୋରାସାନ (ଆଇଏସ୍‌-କେ) ଏଥିପାଇଁ ନିଜକୁ ଦାୟୀ କରିଥିଲା। ପାକିସ୍ତାନ ମାନବାଧିକାର କମିସନ ଶିଖ୍‌ମାନଙ୍କ ପ୍ରତି ଏପରି ଆଚରଣକୁ ନିନ୍ଦା କରିବା ସହ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପାକିସ୍ତାନରେ ଶିଖ୍‌ମାନଙ୍କ ଜନସଂଖ୍ୟା କ୍ରମଶଃ କମିବାରେ ‌ଲାଗିଛି। ସେମାନଙ୍କୁ ହତ୍ୟା କରାଯାଉଛି ବା ବଳପୂର୍ବକ ଧର୍ମାନ୍ତରିତ କରାଯାଉଛି। କାନାଡ଼ାସ୍ଥିତ ବିଶ୍ବ ଶିଖ୍ ସଂଗଠନ ଏହାର ନିନ୍ଦା କରିଛି। ପାକିସ୍ତାନୀ ଶିଖ୍‌ମାନଙ୍କ ଅସ୍ତିତ୍ବ ସଂକଟ ନେଇ ସଂଗଠନ ଉଦ୍‌ବେଗ ପ୍ରକାଶ କରିଛି। ଶିଖ୍ ଗୁରୁଦ୍ବାରା ପ୍ରବନ୍ଧକ କମିଟିର ସୂଚନା ଅନୁସାରେ ସମ୍ପ୍ରତି ପାକିସ୍ତନରେ ମାତ୍ର ୧୫ରୁ ୨୦ ହଜାର ଶିଖ୍ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ କେବଳ ପେଶାୱାରରେ ଅଛନ୍ତି ପ୍ରାୟ ୫୦୦ ପରିବାର।

ସମ୍ବନ୍ଧିତ ଖବର