ସିକ୍କିମ: ପ୍ରବଳ ବର୍ଷା ପରେ ସିକ୍କିମରେ ଭୟଙ୍କର ଭୂସ୍ଖଳନ । ଭୂସ୍ଖଳନରେ ଧସିଲା ଯବାନଙ୍କ କ୍ୟାମ୍ପ୍ । ଉତ୍ତର ସିକ୍କିମର ଛାଟେନ୍ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନରେ ଧସିଛି ଯବାନଙ୍କ କ୍ୟାମ୍ପ୍ । ଯେଉଁଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଯବାନ ଏବେବି ନିଖୋଜ ଅଛନ୍ତି । ଘଟଣା ପରେ ୪ ଜଣ ଯବାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିବା ବେଳେ ସହିଦ ୩ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସହିଦ ହୋଇଥିବା ୩ ଯବାନ- ହାବିଲଦାର ଲଖବିନ୍ଦର ସିଂହ, ଲାନ୍ସ ନାଏକ ମନୀଷ ଠାକୁର ଏବଂ ଅଭିଶେଖ ଲାକ୍ରା ବୋଲି ଜଣାପଡିଛି । ନିଖୋଜ ଯବାନଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଛି ।
ତେବେ ଲଗାଣ ବର୍ଷା ପରେ ଉପୁଜିଥିବା ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସିକ୍କିମ । ପାଖାପାଖି ୧୫୦୦ ପର୍ୟ୍ୟଟକ ସିକ୍କିମର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଭୂସ୍ଖଳନ ପରେ ରାସ୍ତା ବ୍ଲକ ଥିବାରୁ କୁଆଡେ ବି ଯାଇ ପାରୁ ନାହାନ୍ତି ।
ସେପଟେ ତିସ୍ତା ନଦୀର ଜଳସ୍ତର ବଢୁଥିବାରୁ ବନ୍ୟା ଅଧିକ ଉଗ୍ରରୂପ ନେଉଛି । ଉତ୍ତର ସିକ୍କିମ ଅଧିକ ପ୍ରଭାବିତ ହୋଇଥିବା ବେଳେ ଫିଡାଙ୍ଗ ବ୍ରିଜରେ ଜଳର ପ୍ରବଳ ସ୍ରୋତ ଆଗରେ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ଲାଇଫ ଲାଇନ୍ କୁହାଯାଉଥିବା ଏହି ବ୍ରିଜ୍ ତଳେ ପାଣି ପ୍ରଖର ମାତ୍ରାରେ ପ୍ରବାହିତ ହେଉଛି । ଯାହା ବ୍ରିଜ୍ ଭାଙ୍ଗିଦେଇ ପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି ।