ସାଇଲେଣ୍ଟ କିଲର ସାଜିଲାଣି କରୋନା: ମୁମ୍ବାଇର ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ ଦେଖାଯାଉନି ଲକ୍ଷଣ

ଦେଶର ମୋଟ ସଂକ୍ରମଣର ଅଧା ଆସୁଛି ମହାରାଷ୍ଟ୍ରରୁ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ପାଲଟିବାକୁ ଲାଗିଲାଣି ସାଇଲେଣ୍ଟ କିଲର ବା ନୀରବ ଘାତକ । ଦେଶରେ ପ୍ରତିଦିନ ବଢୁଥିବା କରୋନା ସଂଖ୍ୟା ଭିତରେ ମୁମ୍ୱାଇରୁ ଆସିଥିବା କରୋନାକୁ ନେଇ ତଥ୍ୟ ସାରା ଦେଶର ଚିନ୍ତା ବଢାଇ ଦେବା ପରି । କାରଣ ମୁମ୍ୱାଇରେ ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ କୌଣସି ସଂକ୍ରମଣ ଦେଖାଯାଉନାହିଁ । ଏସବୁ ଭିତରେ ମହାରାଷ୍ଟ୍ରରେ ପୁରା ଲକଡାଉନ୍ ଲାଗୁ କରିବାକୁ ଚାହୁଁ ନଥିବା ଇସାରା କରିଛନ୍ତି ଉଦ୍ଧବ ସରକାର ।

ଦେଶରେ କରୋନା ଏପିସେଂଟର ମହାରାଷ୍ଟ୍ର । ଏକଥା ଆମେ ଏଥିପାଇଁ କହୁଛୁ କାରଣ ସାରାଦେଶରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ତାହାର ଅଧା ଏବେ ଆସୁଛି ମହାରାଷ୍ଟ୍ରରୁ । ସେଥିପାଇଁ ଦେଶର ସମସ୍ତ କରୋନା ସଂକ୍ରମିତ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର ସବୁଠାରୁ ଅଧିକ ଚିନ୍ତା ବଢାଇଛି ।

ନଜର ପକାନ୍ତୁ ଗତ ୨୪ ଘଂଟାର କରୋନା ମିଟର ଉପରେ ।

ସାରାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ୪୮୦

ମହାରାଷ୍ଟ୍ରରୁ ସଂକ୍ରମିତ ସଂଖ୍ୟା ୨୭ ହଜାର ୯୧୮

ଗତ ୨୪ ଘଂଟାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୫୪

କେବଳ ମହାରାଷ୍ଟ୍ରରୁ କରୋନା ମୃତ୍ୟୁ ସଂଖ୍ୟା ୧୩୯ ଜଣ

ଏସବୁ ଭିତରେ ମହାରାଷ୍ଟ୍ରରେ ଏବେ ପୂରା ତାଲାବନ୍ଦ ଲାଗୁ କରିବା ସପକ୍ଷରେ ନାହାନ୍ତି ଉଦ୍ଧବ ସରକାର । ଲୋକମାନେ କରୋନାର ନିୟମ ପାଳନ କଲେ ସ୍ଥିତିକୁ କାବୁ କରାଯାଇପାରିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର । କରୋନା ନିୟମ ଉଲଂଘନ କଲେ ଏବେ ୨୦୦ ଟଙ୍କା ଫାଇନ ଲାଗୁଛି । ଆଗକୁ ଏହାର ପରିମାଣ ଅଧିକ ହେବ ।

ସୂଚନା ଅନୁସାରେ ମହାରାଷ୍ଟ୍ରର ମୁମ୍ୱାଇ ସହର ଏବେ ପୂରା ମହାରାଷ୍ଟ୍ରର କରୋନା ସଂକ୍ରମଣର ଏପରି ଏକ ସ୍ଥାନ ବନିବାକୁ ଯାଉଛି, ଯାହା ବାବଦରେ ଜାଣିଲେ ଆପଣ ବି ଚିନ୍ତା କରିବାକୁ ବାଧ୍ୟ ହେବେ । ମୁମ୍ୱାଇ ମହାନଗର କମିଶନର ସୂଚନା ଦେଇଛନ୍ତି ମୁମ୍ୱାଇରେ ଏବେ ଦ୍ୱିତୀୟ ଲହର ଆରମ୍ଭ ହୋଇ ସାରିଛି ।  ଗତ ୪୯ ଦିନରେ ମୁମ୍ୱାଇରେ ଚିହ୍ନଟ ହୋଇଛନ୍ତି ୯୧ ହଜାର କରୋନା ସଂକ୍ରମିତ।  ୭୪ ହଜାର ମାମଲାର କୌଣସି ଲକ୍ଷଣ ନାହିଁ । ଅର୍ଥାତ୍ ଆପଣଙ୍କୁ କରୋନା ସଂକ୍ରମଣ କରିସାରିଛି, କିନ୍ତୁ କିଛି ବି ଲକ୍ଷଣ ଦେଖାଯାଉନାହିଁ । ଏହା ହିଁ କରୋନା ମୁକାବିଲାରେ ସବୁଠାରୁ ଘାତକ ଦିଗ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି । କାରଣ ଲକ୍ଷଣ ଦେଖାଦେଉନଥିବାରୁ ବିଳମ୍ୱରେ ଡାକ୍ତରଖାନାକୁ ଆସୁଛନ୍ତି ସଂକ୍ରମିତ ।

ଏସବୁ ଭିତରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସଭିଏଁ । ମହାରାଷ୍ଟ୍ର ସରକାର ଏହା ଭିତରେ ବର୍ତମାନର କରୋନା ଗାଇଡଲାଇନକୁ ଲାଗୁ କରି ସ୍ଥିତି କାବୁ କରିବାକୁ ଯୋଜନା ରଖିଛନ୍ତି ମହାରାଷ୍ଟ୍ର ସରକାର , ଯାହାକୁ ସମାଲୋଚନା କରିଛନ୍ତି ବିରୋଧୀ । ଗତ ୫ ଦିନ ହେଲା ଦେଶରେ ଉପରମୁହାଁ ରହିଛି କରୋନା ମୃତ୍ୟୁ ସଂଖ୍ୟା । ଯାହା ଗତ ୨୪ ଘଂଟାରେ ୩୫୪ରେ ପହଁଚିଗଲାଣି । ସେହିପରି ଗତ ୨୪ ଘଂଟାରେ ସାରାଦେଶରେ ୫୩ ହଜାର ୪୮୦ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଉ ଏକ ଚିନ୍ତାଜନକ କଥା ।

ସମ୍ବନ୍ଧିତ ଖବର