ଚାକିରି ଖୋଜୁଛନ୍ତି ସିଲିକନ୍ ଭ୍ୟାଲି ବ୍ୟାଙ୍କ କର୍ମଚାରୀ

ମୁମ୍ବାଇ: ଆମେରିକାରେ ବୁଡ଼ିଯାଇଥିବା ସିଲିକନ୍ ଭ୍ୟାଲି ବ୍ୟାଙ୍କର ଏକ ବ୍ୟବସାୟ ଭାରତରେ ରହିଛି। ତାହା ହେଉଛି ଏସ୍‌ଭିବି ଗ୍ଲୋବାଲ୍‌ ସର୍ଭିସେସ୍‌ ଇଣ୍ଡିଆ। ଆମେରିକାରେ ବ୍ୟାଙ୍କ ବୁଡ଼ିଥିବା ଜଣାପଡ଼ିବା ପରେ ଭାରତରେ ଏହି ସଂସ୍ଥାର କର୍ମଚାରୀମାନେ ନୂଆ ଚାକିରି ଖୋଜିବା ଆରମ୍ଭ କରିଛନ୍ତି। ଚାକିରି ଲାଗି ଆମେ ଇଚ୍ଛୁକ ଅଛୁ ବୋଲି ସେମାନେ ନିଜ ନିଯୁକ୍ତି ପ୍ରୋଫାଇଲ୍‌ରେ ଲେଖିବା ଆରମ୍ଭ କରିଛନ୍ତି।

କିଛି ଦିନ ଭିତରେ ଚାକିରି ଖୋଜୁଥିବା ଏସ୍‌ଭିବି କର୍ମଚାରୀଙ୍କ ସଂଖ୍ୟା ଦୁଇ ଅଙ୍କରୁ ବୃଦ୍ଧି ପାଇ ତିନି ଅଙ୍କରେ ପହଞ୍ଚିଛି ବୋଲି ଏକ୍ସଫେନୋର ସହ ପ୍ରତିଷ୍ଠାତା କମଳ କରାନ୍ଥ କହିଛନ୍ତି। ବ୍ରିଟେନ୍‌ରେ ଏସ୍‌ଭିବି କାରବାରକୁ ଏଚ୍‌ଏସ୍‌ବିସି ଜରିଆରେ ସେଠାକାର ସରକାର ଉଦ୍ଧାର କରିଛନ୍ତି। ତେଣୁ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପ୍ରତି ରହିଥିବା ବିପଦ ଟଳିଯାଇଛି। କିନ୍ତୁ ଭାରତରେ ବ୍ୟାଙ୍କ ପାଇଁ କାମ କରୁଥିବା କର୍ମଚାରୀମାନେ ଏବେବି ଚିନ୍ତିତ ରହିଛନ୍ତି। ଗତ ଦୁଇ ବର୍ଷରେ ଏସ୍‌ଭିବି ଭାରତରେ ଏହାର କର୍ମଚାରୀ ସଂଖ୍ୟାକୁ ବଢ଼ାଇଥିଲା। ଏହା କର୍ମଚାରୀମାନଙ୍କୁ ଖୁସିରେ ରଖିଥିବାରୁ କେହି ଚାକିରି ଛାଡ଼ୁନଥିଲେ। ମାତ୍ର ବ୍ୟାଙ୍କରେ ୧୦-୧୫ ବର୍ଷ କାମ କରିବାର ଅଭିଜ୍ଞତା ରଖିଥିବା କିଛି କର୍ମଚାରୀ ନୂଆ ଚାକିରି ଖୋଜୁଥିବା ଜଣାପଡ଼ିଛି। ବ୍ୟାଙ୍କରେ ଥିବା ମୋଟ କର୍ମଚାରୀଙ୍କ ମଧ୍ୟରୁ ୫୫ ପ୍ରତିଶତ ହେଉଛନ୍ତି ଅଭିଜ୍ଞ ବର୍ଗର ବୋଲି କରାନ୍ଥ କହିଛନ୍ତି।

ସିଆଇଏଚ୍‌ଏଲ୍‌ ଏଚ୍‌ଆର୍‌ର ଏମ୍‌ଡି ଆଦିତ୍ୟ ମିଶ୍ର କହିଛନ୍ତି ଯେ ଏସ୍‌ବିବି ବ୍ୟାଙ୍କର ପ୍ରାୟ ୨୦୦ କର୍ମଚାରୀ ନୂଆ ଚାକିରି ଖୋଜୁଛନ୍ତି। ଡେଭେଲପ୍‌ର, ଟେଷ୍ଟର, କ୍ୟାପିଟାଲ୍‌ ଆନାଲିଷ୍ଟ୍‌, ଡାଟା ଇଞ୍ଜିନିୟର, ଫାଇନାନ୍ସିଆଲ୍ ଆସୋସିଏଟ୍‌ସ, ବିଜନେସ୍‌ ଆନାଲିଷ୍ଟ୍‌, କ୍ରେଡିଟ୍ ଆନାଲିଷ୍ଟ୍‌ ଭାବେ କାମ କରୁଥିବା କର୍ମଚାରୀମାନେ ଚାକିରି ଖୋଜୁଛନ୍ତି। ଏସ୍‌ଭିବି ଗ୍ଲୋବାଲ୍‌ ସର୍ଭିସେସ୍‌ ଇଣ୍ଡିଆ ପାଇଁ ୮୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେଥିରୁ ଏକ ତୃତୀୟାଂଶ କର୍ମଚାରୀଙ୍କ ବାର୍ଷିକ ଦରମା ୩୦ ଲକ୍ଷ ଟଙ୍କାରୁ ଅଧିକ। ବର୍ତ୍ତମାନ ସମୟରେ ଏଭଳି ମୋଟା ଅଙ୍କର ଦରମା ଦେଇ ସେମାନଙ୍କୁ ନୂଆ ଚାକିରି ଦେବା ହାତଗଣତି ସଂସ୍ଥା ପାଇଁ ସମ୍ଭବପର।
ଆମେରିକାରେ ସପ୍ତାହକ ଭିତରେ ଦୁଇଟି ବ୍ୟାଙ୍କ-ସିଲିକନ୍ ଭାଲି ବ୍ୟାଙ୍କ ଓ ସିଗ୍ନେଚର ବ୍ୟାଙ୍କ ବନ୍ଦ ହୋଇଯାଇଛି। ସରକାରଙ୍କ ହସ୍ତକ୍ଷେପ ଜରିଆରେ ସେଗୁଡ଼ିକୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଛି। ବ୍ୟାଙ୍କ ବିଫଳତା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଉତ୍ତରଦାୟୀ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଇତି ମଧ୍ୟରେ ରେଟିଂ ଏଜେନ୍ସି ମୁଡିସ୍‌ ପକ୍ଷରୁ ଆମେରିକାର ଆଉ ୬ଟି ବ୍ୟାଙ୍କର ରେଟିଂ ହ୍ରାସ କରାଯାଇଛି।

ସମ୍ବନ୍ଧିତ ଖବର