ଯଦି ସାହସ ଅଛି ସାମ୍ନାକୁ ଆସ, ପଛରୁ ଗୁଳି କାହିଁକି ମାରୁଛ? ବାପାଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ସ୍ମୃଦ୍ଦି

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଯୁବତୀଙ୍କ ଖୋଲା ଚ୍ୟାଲେଞ୍ଜ । ଯଦି ସାହସ ଅଛି ସାମ୍ନାକୁ ଆସ, ମୋ ସାଙ୍ଗରେ ବିତର୍କ କର । ତମ ପାଟିରୁ ପଦୁଟିଏ ଶବ୍ଦ ବାହାରିବନି । କେବଳ ପଛରୁ ଲୁଚିକି ପଥର ପକାଇବ, ଗୁଳି ମାରିବ । ତା ଛଡା ତୁମେ ଜାଣିଛ ବା କଣ । ତମେ ମୋ ବାପାଙ୍କୁ ମାରିଛ । ବାପାଙ୍କ ଶରୀର କେବଳ ନଷ୍ଟ କରିଛ କିନ୍ତୁ ତାଙ୍କର ଚିନ୍ତାଧାରାକୁ ନୁହେଁ କି ତାଙ୍କର ଆତ୍ମାକୁ ନୁହେଁ । ସେ ସବୁବେଳେ ଆମ ଭିତରେ ବଞ୍ଚି ରହିବେ । ଆତଙ୍କବାଦୀଙ୍କ ଗୁଳିରେ ବାପାଙ୍କୁ ହରାଇଥିବା ଜଣେ ଝିଅର ଇଏ ହେଉଛି ପ୍ରତିକ୍ରିୟା ।

ବାପାଙ୍କୁ ହରାଇ ଝିଅ ବାହୁନି ବାହୁନି କାନ୍ଦୁନି । କାରଣ ଝିଅ ଜାଣିଛି, ଯଦି ସେ ବାପାଙ୍କ ମୃତ୍ୟୁକୁ ନେଇ କାନ୍ଦିବ ଓ ଶୋକ ପାଳନ କରିବ ତେବେ ଆତଙ୍କବାଦୀଙ୍କୁ ଏହା ଖୁସି ଦେବ । ସେ କହିଛନ୍ତି ଯେ, ମୋ ବାପା ଜଣେ ଯୋଦ୍ଧା ଥିଲେ, ବହୁତ ପରିଶ୍ରମ କରୁଥିଲେ ତେଣୁ ତାଙ୍କ ମୃତ୍ୟୁରେ ମୁଁ କାନ୍ଦିବି ନାହିଁ । କାରଣ ତାଙ୍କର ବାପା କହିଥିଲେ ଯଦି ତୁମେ ଡରିଯିବ ତେବେ ବଞ୍ଚିବା କଷ୍ଟକର ହୋଇଯିବ ଆଉ ମରିଲେ ଥରେ ମରିବ । ତେଣୁ ଏମାନଙ୍କୁ କାହିଁକି ବା ଡରିବି । ଇଏ ଥିଲା କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଫାର୍ମାସିଷ୍ଟ ମାଖନ ଲାଲ ବିନ୍ଦରୁଙ୍କ ଝିଅ ସ୍ମୃଦ୍ଦି ବିନ୍ଦରୁଙ୍କ ମୁହଁରୁ କିଛି କଥା । ସିମ୍ରିଦ୍ଧିଙ୍କ ଏହି କଥା କେବଳ ଯେ ଆତଙ୍କବାଦୀଙ୍କ ପ୍ରତି ଲୋକଙ୍କ ମନରୁ ଭୟ ଦୂର କରିବ ତାହା ନୁହେଁ ବରଂ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ଲଢେଇକୁ ଜନ୍ମ ଦେଇଛି ।

ଗତ ମଙ୍ଗଳବାର ଦିନ ଶ୍ରୀନଗରର ଇକବାଲ ପାର୍କ ଅଞ୍ଚଳରେ ଫାର୍ମାସିଷ୍ଟ ମାଖନ ଲାଲ ବିନ୍ଦରୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । କିଛି ବନ୍ଧୁକଧାରୀ ଆତଙ୍କବାଦୀ ଏଭଳି କାର୍ଯ୍ୟ କରିଥିବା ନେଇ ସୂଚନା ମିଳିଥିବା ବେଳେ ଝିଅ ସ୍ମୃଦ୍ଦି ଏମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସ୍ମୃଦ୍ଦି କହିଛନ୍ତି, ଯଦି ସାହସ ଅଛି ସାମ୍ନାକୁ ଆସ ମୋ ସହ କଥା ହୁଅ । ତୁମେ କେବଳ ଜଣେ ବ୍ୟକ୍ତିର ଶରୀର ନଷ୍ଟ କରିଛ ତାଙ୍କର ଆତ୍ମାକୁ ନୁହେଁ ।

ମଖନ ଲାଲ ବିନ୍ଦରୁଙ୍କ ମୃତ୍ୟୁକୁ ନେଇ ଶୋକପ୍ରକାଶ କରିବା ସହ ଆତଙ୍କବାଦୀଙ୍କ ଏଭଳି ବର୍ବର କାର୍ଯ୍ୟକୁ ନିନ୍ଦା କରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ଟ୍ୱିଟ୍ କରି ଉମର କହିଛନ୍ତି, ଏହା ବହୁତ ଭୟାନକ ଖବର । ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଚରମ ସୀମାରେ ଥିବା ବେଳେ ମଧ୍ୟ ସେ କଶ୍ମୀର ଛାଡିନଥିଲେ ଓ ଦୋକାନ ଚାଲୁ ରଖିଥିଲେ । କଶ୍ମୀରବାସୀଙ୍କ ପାଖରେ ଔଷଧ ପହଞ୍ଚାଉଥିଲେ । ତାଙ୍କର ହତ୍ୟା ଗ୍ରହଣଯୋଗ୍ୟ ନୁହେଁ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

ସମ୍ବନ୍ଧିତ ଖବର