ନୂଆଦିଲ୍ଲୀ: ତତ୍କାଳ ତିନି ତଲାକ୍‌ ତଥା ତଲାକ ଏ ବିଦ୍ଦତ୍‌ ବେଆଇନ। ଏହା ଜାମିନ ବିହୀନ ଅପରାଧ। ତତ୍କାଳ ତିନି ତଲାକ୍‌ ଦେଲେ ୩ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ। ଏନେଇ ସରକାର ଏକ ଚିଠା ଆଇନ ପ୍ରସ୍ତୁତ କରିଛନ୍ତି। ମୁସଲିମ ମହିଳାଙ୍କ ବିବାହ ସୁରକ୍ଷା ଅଧିକାର ଆଇନ ସମ୍ପର୍କିତ ଏହି ଚିଠା ଆଇନଟି କେନ୍ଦ୍ର ଦ୍ୱାରା ଚୁଡ଼ାନ୍ତ ହୋଇସାରିଥିବା ବେଳେ ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ଏହା ପଠାଯାଇଛି ଏବଂ ଏ ବାବଦରେ ମତାମତ ଲୋଡ଼ାଯାଇଛି। ସଂସଦର ଆଗାମୀ ଶୀତ ଅଧିବେଶନରେ ଉକ୍ତ ଚିଠା ଆଇନକୁ ଉପସ୍ଥାପନ କରାଯିବା ଯୋଜନା ରହିଛି। ସଂସଦର ଉଭୟ ଗୃହରେ ଉକ୍ତ ଚିଠା ଆଇନ ଗୃହୀତ ହେବାପରେ ଏବଂ ରାଷ୍ଟ୍ରପତିଙ୍କ ସ୍ୱୀକୃତିକ୍ରମେ ଆଇନରେ ପରିଣତ ହେବ। ତେବେ ଏହି ଆଇନ ଜମ୍ମୁ କଶ୍ମୀର ରାଜ୍ୟ ପାଇଁ ଲାଗୁ ହେବନି। ଚିଠା ଆଇନଟିକୁ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ତତ୍ତ୍ୱାବଧାନରେ ଏକ ମନ୍ତ୍ରୀ ଗୋଷ୍ଠୀ ପ୍ରସ୍ତୁତ କରିଛନ୍ତି। ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାମିଲ ରହିଥିବା ଜଣାଯାଇଛି।
ପ୍ରସ୍ତାବିତ ଚିଠା ଆଇନ ଅନୁଯାୟୀ ତତ୍କାଳ ତିନି ତଲାକ୍‌ର ଶିକାର ହୋଇଥିବା ଜଣେ ମହିଳା ପୁଲିସରେ ଏଫଆଇଆର ଦାଏର କରି ଏବଂ ମାଜିଷ୍ଟ୍ରେଟ୍‌ଙ୍କୁ ଏ ସମ୍ପର୍କରେ ଅବଗତ କରାଇ ତାଙ୍କ ସ୍ୱାମୀଙ୍କଠାରୁ ଶିଶୁ ସହ ନିଜର ସମସ୍ତ ଭରଣାପୋଷଣ ଖର୍ଚ୍ଚ ପାଇପାରିବେ। ନୂତନ ଆଇନ ବଳରେ ଯେକୌଣସି ପ୍ରକାର ତିନି ତଲାକ ତଥା ଲିଖିତ, କଥିତ, ଇମେଲ, ଏସଏମଏସ ଓ ହ୍ଵାଟ୍ସଆପ୍‌ ପରି ବୈଦ୍ୟୁତିକ ଉପକରଣ ମାଧ୍ୟମରେ ତିନି ତଲାକ୍‌ ନିଷିଦ୍ଧ କରାଯିବ। ଗତ ଅଗଷ୍ଟ ମାସରେ ତିନି ତଲାକ୍‌ ବେଆଇନ ବୋଲି ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ସରକାର ତିନି ତଲାକ୍‌ ସଂକ୍ରାନ୍ତ ୬୭ଟି ଅଭିଯୋଗ ଗ୍ରହଣ କରିଥିବା ଜଣାଯାଇଛି। କେବଳ ୨୦୧୭ ମସିହାରେ ସରକାରଙ୍କ ନିକଟରେ ୧୭୭ରୁ ଊର୍ଦ୍ଧ୍ୱ ତତ୍କାଳ ତିିନି ତଲାକ ସଂକ୍ରାନ୍ତ ଅଭିଯୋଗ ହୋଇଥିବା ଜଣାଯାଇଛି।
ମୁହଁ ଖୋଲିଲେ ବଂଶା