ଡାଭୋସ୍‌: ୨୦୨୦ ଠାରୁ ବିଶ୍ବର ୫ଜଣ ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୨ଗୁଣରୁ ଅଧିକ ହୋଇଥିବା କଥା ଆଜି ଦାତବ୍ୟ ସଙ୍ଗଠନ ‘ଅକ୍ସଫାମ୍‌’ କହିଛି।

Advertisment

ସେମାନେ ହେଉଛନ୍ତି, ଏଲନ୍‌ ମସ୍କ୍‌, ବର୍ଣ୍ଣାର୍ଡ ଆର୍ଣ୍ଣନଲ୍‌ଟ୍‌, ଜେଫ୍‌ ବେଜୋସ୍‌, ୱାରେନ୍‌ ବଫେଟ୍‌ ଓ ଲେରି ଏଲିସନ୍‌ସ୍‌।

ଏହାଛଡ଼ା, ଟିକସ ନୀତି ଉପରେ ଏହି ବିତ୍ତଶାଳୀ ବ୍ୟକ୍ତିଙ୍କ ପ୍ରଭାବ ରୋକିବା ଲାଗି ‘ଅକ୍ସଫାମ୍‌’ ଦେଶସମୂହକୁ ପରାମର୍ଶ ଦେଇଛି।

ଚଳିତ ସପ୍ତାହରେ ଡାଭୋସ୍‌ରେ ଆୟୋଜିତ ‘ୱାର୍ଲଡ୍‌ ଇକୋନୋମିକ୍‌ ଫୋରମ୍‌’ରେ ବିଶ୍ବର ଧନାଢ଼୍ୟ ବ୍ୟକ୍ତିମାନେ ଏକତ୍ର ହୋଇଥିବା ବେଳେ ‘ଅକ୍ସଫାମ୍‌’ ପ୍ରକାଶ କରିଥିବା ରିପୋର୍ଟରେ କହିଛି ଯେ, ୨୦୨୦ରେ ୪୦୫ ବିଲିୟନ୍‌ ଥିବା ସେମାନଙ୍କ ସମ୍ପଦ ଗତବର୍ଷ ୮୬୯ ବିଲିୟନ୍‌କୁ ବୃଦ୍ଧି ପାଇଛି।

publive-image Image Courtesy of WXXI News

ସେହିପରି, ୨୦୨୦ରୁ ବିଶ୍ବବ୍ୟାପୀ ପାଖାପାଖି ୫୦୦ କୋଟି ଲୋକ ଅପେକ୍ଷାକୃତ ଦରିଦ୍ର ହୋଇଛନ୍ତି ବୋଲି ‘ଅକ୍ସଫାମ୍‌’ କହିଛି।

କୋଭିଡ୍‌ ମହାମାରି ସମେତ ଏ ଦଶନ୍ଧି ପ୍ରାରମ୍ଭରୁ ଅନେକ ସଙ୍କଟ ବିଶ୍ବ ଅର୍ଥନୀତିକୁ ଦୋହଲାଇ ଦେଇଥିବା ସତ୍ତ୍ବେ କୋଟିପତିମାନେ ୨୦୨୦ରେ ଯେତେ ସମ୍ପତ୍ତିର ମାଲିକ ଥିଲେ ଆଜି ତା’ଠାରୁ ୩.୩ ବିଲିୟନ୍‌ ଅଧିକ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି।

‘ସ୍ବିସ୍‌ ଆଲ୍‌ପାଇନ୍‌ ରିସର୍ଟ’ରେ ସୋମବାର ଦିନ ଉକ୍ତ ‘ଫୋରମ୍’ ଉଦ୍‌ଘାଟିତ ହେବାର କିଛିକ୍ଷଣ ଆଗରୁ ‘ଅକ୍ସ୍‌ଫାମ୍‌’ର ଏହି ରିପୋର୍ଟ ପ୍ରକାଶ ପାଇଥିଲା। ବିଶ୍ବବ୍ୟାପୀ ଆର୍ଥିକ ଅସମାନତା ବୃଦ୍ଧି ପାଉଥିବାରୁ ‘ଅକ୍ସଫାମ୍‌’ ଉଦ୍‌ବେଗ ପ୍ରକାଶ କରିଛି।

‘ଅକ୍ସ୍‌ଫାମ୍‌’ କହିଛି, ଅସମାନତା ବୃଦ୍ଧି ପାଇଁ ‘କର୍ପୋରେଟ୍‌’ କ୍ଷମତାକୁ ଉପଯୋଗ କରାଯାଉଛି। କର୍ମଚାରୀଙ୍କ ସଂଖ୍ୟା ହ୍ରାସ, ଧନୀ ଅଂଶୀଦାରମାନଙ୍କୁ ଅଧିକ ଧନ ଦେଇ, ଟିକସ୍‌ ଫାଙ୍କି ଓ ରାଷ୍ଟ୍ରାୟାତ ପ୍ରତିଷ୍ଠାନଗୁଡ଼ିକୁ ଘରୋଇକରଣ କରିବାଦ୍ବାରା ଏଭଳି ଅସମାନତା ବୃଦ୍ଧି ପାଉଛି।