ମୁମ୍ବାଇ : ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ର ବିଧାନସଭାରେ ବଡ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ଅଜିତ ପାୱାର ଗୋଷ୍ଠୀର ୧୮-୧୯ ଜଣ ବିଧାୟକ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ପାୱାର ଗୋଷ୍ଠୀ) ଦାବି କରିଛି। ଏହି ବିଧାୟକଙ୍କ ସମର୍ଥନରେ ଶରଦ ପାୱାର ଗୋଷ୍ଠୀ ବର୍ତ୍ତମାନର ସରକାର ଭାଙ୍ଗି ରାଜ୍ୟରେ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଅଜିତ ପାୱାର ଗୋଷ୍ଠୀ ଏଭଳି କୌଣସି କଥାକୁ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି। ଅଜିତ ପାୱାର ଗୋଷ୍ଠୀ କହିଛି ଯେ ଶରଦ ପାୱାର ଗୋଷ୍ଠୀ ଗୁଜବ ପ୍ରଚାର କରି ରାଜ୍ୟ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ଲୋକସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରରେ ବିଜେପି ଓ ଏହାର ସହଯୋଗୀଙ୍କ ସ୍ଥିତି ଦୁର୍ବଳ ହୋଇଛି। ରାଜନୈତିକ ସୂତ୍ରରୁ ପ୍ରକାଶ ଯେ ଏହି ଦୁର୍ବଳତାର ଫାଇଦା ଉଠାଇ ଶରଦ ପାୱାର ମହାରାଷ୍ଟ୍ରରେ ବଡ଼ ଖେଳ ଖେଳିବାକୁ ଚେଷ୍ଟା କରୁଛନ୍ତି। ଏନସିପି-ଶରଦ ପାୱାର ଗୋଷ୍ଠୀ ଦାବି କରିଛି ଯେ ଏକନାଥ ସିନ୍ଦେ ସରକାରର ୧୮-୧୯ ବିଧାୟକ ସେମାନଙ୍କ ସମର୍ଥନରେ ବାହାରିଛନ୍ତି। ଏହି ବିଧାୟକମାନେ ନିଜ ପୁରୁଣା ତଥା ପ୍ରକୃତ ଦଳକୁ ଫେରିବାକୁ ଚାହୁଁଛନ୍ତି ବୋଲି ଦାବି କରାଯାଉଛି। ସେପଟେ ଆଉ ଏକ ଚର୍ଚ୍ଚା ଅନୁସାରେ ଶିବସେନା ଉଦ୍ଧବ ଗୋଷ୍ଠୀଙ୍କୁ ଏନଡିଏକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ବିଜେପି ଉଦ୍ୟମ କରୁଛି ବୋଲି ଚର୍ଚ୍ଚା ହେଉଛି ।