ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ ବୁଲେଟ୍ ଟ୍ରେନ୍ ମାର୍ଗରେ ଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଲେଟ୍ ଟ୍ରେନ୍ ପାଇଁ ଅଧିକାରୀମାନଙ୍କୁ ସମସ୍ତ ଅନୁମତି ଦେଇଛନ୍ତି। ଏହାପୂର୍ବରୁ ଗତ ଅଢେଇ ବର୍ଷ ଧରି ମହାବିକାଶ ଆଘାଡି ସରକାର ବୁଲେଟ୍ ଟ୍ରେନକୁ ବିରୋଧ କରୁଥିଲେ, ଏହି କାରଣରୁ ମହାରାଷ୍ଟ୍ରରେ ବୁଲେଟ ଟ୍ରେନ କାର୍ଯ୍ୟ ଧିମେଇ ଯାଇଥିଲା | ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଅହମ୍ମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଇବାକୁ ଘୋଷଣା କରିଥିଲେ, କିନ୍ତୁ ମହାବିକାଶ ଆଘାଡି ସରକାର ସମୟରେ ମହାରାଷ୍ଟ୍ରରେ ଯେତିକି ଆଗେଇବା କଥା ସେତିକି ଆଗେଇ ପାରିନଥିଲା | କିନ୍ତୁ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ , ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଲେଟ୍ ଟ୍ରେନକୁ ଗ୍ରୀନ ସିଗନାଲ ଦେଇଛନ୍ତି |

Advertisment

ତେବେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ବର୍ତ୍ତମାନ ସବୁଠାରୁ ବଡ ସମସ୍ୟା ହେଉଛି ଜମି ଅଧିଗ୍ରହଣ | ଗୁଜୁରାଟରେ ୯୦ ପ୍ରତିଶତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି, କିନ୍ତୁ ମହାବିକାଶ ଆଘାଡି ସରକାର ଜମି ଅଧିଗ୍ରହଣ କରାଇବାରେ ସହଯୋଗ କରିନଥିଲେ | ଆଉ ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନକୁ ମହାରାଷ୍ଟ୍ରରେ ଜମି ଅଧିଗ୍ରହଣ କରିବା କଷ୍ଟକର ହୋଇପଡିଥିଲା। ତେବେ ଏବେ ସିନ୍ଦେ ଜମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

ଉଲ୍ଲେଖ ଥାଉ କି ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ମହାରାଷ୍ଟ୍ର ଏବଂ ଗୁଜୁରାଟକୁ ସଂଯୋଗ କରିବ। ଏହା ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରୁ ଆରମ୍ଭ ହୋଇ ଅହମ୍ମଦାବାଦରେ ପହଞ୍ଚିବା ପାଇଁ ୫୦୮ କିଲୋମିଟର ଯାତ୍ରା କରିବ | ଏହି ୫୦୮ କିଲୋମିଟର ମାର୍ଗରେ ମହାରାଷ୍ଟ୍ରରେ ୧୫୫ କିଲୋମିଟର ମାର୍ଗ ରହିବ | ଏହା ମହାରାଷ୍ଟ୍ରର ମୁମ୍ବାଇ, ଥାନେ ଏବଂ ପାଲଘର ଦେଇ ଯିବ|