ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ କେନ୍ଦ୍ର ସରକାର ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଇଚ୍ଛା ପୂରଣ କରିଛନ୍ତି। ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ ସେ ଧାରା ୩୭୦, ରାମ ମନ୍ଦିର ନିର୍ମାଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି | ସେ କହିଛନ୍ତି ଯେ, 'ବାଲାସାହେବ ଥରେ କହିଥିଲେ, ମୋତେ ଦିନେ ପ୍ରଧାନମନ୍ତ୍ରୀ କର। ମୁଁ କଶ୍ମୀରରେ ଧାରା ୩୭୦ ହଟାଇବି। ମୁଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବି'। ବର୍ତ୍ତମାନ ଧାରା ୩୭୦କୁ ହଟାଇ ଦିଆଯାଇଛି ଏବଂ ରାମ ମନ୍ଦିର ମଧ୍ୟ ନିର୍ମାଣ କରାଯାଉଛି | ଆଉ ଏସବୁ କରି ମୋଦୀ, ବାଲ ଠାକରେଙ୍କ ଇଛାକୁ ପୂରଣ କରିଛନ୍ତି | ଏହି ସମୟରେ ସେ ଶିବସେନାରେ ବିଦ୍ରୋହର କାରଣ ମଧ୍ୟ କହିଥିଲେ।
ସେ କହିଛନ୍ତି ଯେ କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସହ ଶିବସେନାଙ୍କ ମିଳିତଗଠବନ୍ଧନରେ ବିଧାୟକମାନେ ଖୁସି ନଥିଲେ | ମୁଁ କଦାପି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲି। ଆମର ବିଧାୟକମାନେ ଦୁଃଖୀ ଥିଲେ। ତେଣୁ ମୁଁ ଏହି ପଦକ୍ଷେପ ନେଇଛି ଏବଂ ମୁଁ ଭାବୁନାହିଁ ଯେ ମୁଁ କିଛି ଭୁଲ କରିଛି | ଜୁନ୍ ମାସରେ, ସିନ୍ଦେ ଏବଂ ପ୍ରାୟ ୫୦ ଜଣ ବିଧାୟକ ତତ୍କାଳୀନ ଶିବସେନାରେ ବିଦ୍ରୋହ କରିଥିଲେ। ଏହାର ପରିଣାମ ସ୍ୱରୂପ ମହାରାଷ୍ଟ୍ରରେ ମହାବିକାଶ ଆଘାଡି ସରକାର ଭାଙ୍ଗିଯାଇଥିଲା । ପରେ ସିନ୍ଦେ, ଭାରତୀୟ ଜନତା ପାର୍ଟି ସହଯୋଗରେ ସରକାର ଗଠନ କରିଥିଲେ। ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା।