ସିନ୍ଦେଙ୍କ ଖୋଲା ଚ୍ୟାଲେଞ୍ଜ: କେଉଁ ବିଦ୍ରୋହୀ ବିଧାୟକ ଉଦ୍ଧବଙ୍କୁ ଯୋଗାଯୋଗ କରୁଛନ୍ତି ତାଙ୍କ ନାଁ କହନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଉଦ୍ଧବ ଠାକରେଙ୍କ ଦଳ ଦାବି କରିଛନ୍ତି ଯେ ଗୌହାଟୀରେ ଥିବା ବିଦ୍ରୋହୀ ନେତା ତାଙ୍କ ସହ ଯୋଗାଯୋଗ କରୁଛନ୍ତି ଏବଂ ସେମାନେ ଫେରିବାକୁ ଚାହୁଁଛନ୍ତି। ଠାକରେଙ୍କ ପକ୍ଷରୁ ଏଭଳି ଦାବି କରାଯିବା ପରେ ବର୍ତ୍ତମାନ ସିନ୍ଦେ ଉଦ୍ଧବଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଏବଂ କହିଛନ୍ତି ଯେ କେଉଁ ବିଦ୍ରୋହୀ ବିଧାୟକମାନେ ତାଙ୍କ ସହିତ ଯୋଗାଯୋଗ କରୁଛନ୍ତି, ଉଦ୍ଧବ ଠାକରେ ସେମାନଙ୍କର ନାମ କହିବା ଉଚିତ୍।

ଏଭଳି କହି ଠାକରେଙ୍କ ସମର୍ଥକ କରୁଥିବା ଦାବିକୁ ଖଣ୍ଡନ କରିଛନ୍ତି ଏକନାଥ ସିନ୍ଦେ। ଶିବସେନା ନେତାମାନେ ଦାବି କରୁଥିଲେ ଯେ, ୧୫-୨୦ଜଣ ବିଦ୍ରୋହୀ ବିଧାୟକ ସିନ୍ଦେଙ୍କ ସହ ରହିବି ଉଦ୍ଧବ ଠାକରେଙ୍କୁ ଯୋଗାଯୋଗ କରୁଛନ୍ତି ଏବଂ ଫେରିବାକୁ ଚାହୁଁଛନ୍ତି। ଏଭଳି ଦାବିକୁ ନେଇ ମଙ୍ଗଳବାର ସିନ୍ଦେ କହିଛନ୍ତି ଯେ, ସମସ୍ତ ବିଧାୟକ ଆମ ସହ ଅଛନ୍ତି। ଯଦି ଶିବସେନା କହୁଛି ଯେ ଏଠାରେ ଉପସ୍ଥିତ ବିଧାୟକମାନେ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି, ତେବେ ସେମାନେ ସେମାନଙ୍କର ନାମ କହିବା ଉଚିତ୍।

ବିଦ୍ରୋହୀ ହେବା ପରେ ସିନ୍ଦେ ପ୍ରଥମ ଥର ପାଇଁ ଗୌହାଟୀରେ ଥିବା ହୋଟେଲ ବାହାରକୁ ଆସି ସାମ୍ବାଦିକମାନଙ୍କୁ ଭେଟିଥିଲେ। ଏହି ସମୟରେ ସେ କହିଥିଲେ ଯେ ଆମେ ହିନ୍ଦୁତ୍ୱ ଏବଂ ବାଲାସାହେବ ଠାକରେଙ୍କ ରାସ୍ତାରେ ଅଛୁ ଏବଂ ଆମେ ବର୍ତ୍ତମାନ ଶିବ ସୈନିକ ଅଟୁ। ଆମେ ସମସ୍ତେ ଶିବସେନା ସହିତ ଆଗକୁ ବଢ଼ୁଛୁ ଏବଂ ଏଥିରେ କେହି ସନ୍ଦେହ କରିବା ଉଚିତ୍ ନୁହେଁ। ଆମ ସହ ୫୦ଜଣ ବିଧାୟକଙ୍କ ସମର୍ଥନ ଅଛି। ହିନ୍ଦୁତ୍ୱକୁ ଆଗକୁ ନେବା ପାଇଁ ଏହି ସମସ୍ତ ବିଧାୟକ ସ୍ୱେଚ୍ଛାକୃତ ଭାବେ ଏଠାକୁ ଆସିଛନ୍ତି। ଆମେ ଶୀଘ୍ର ମୁମ୍ବାଇ ଫେରିବୁ।

ସମ୍ବନ୍ଧିତ ଖବର