ଆସ୍ଥା ଭୋଟ୍‌ ଜିତିଲେ ସିନ୍ଦେ: ସପକ୍ଷରେ ୧୬୪, ବିପକ୍ଷରେ ୯୯

ବିଦ୍ରୋହର ସବୁଠୁ ବଡ଼ କଳାକାର ଫଡ଼ନାବିସ: ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍‌ ଜିତିଛନ୍ତି। ସିନ୍ଦେଙ୍କ ନେତୃତ୍ବାଧୀନ ସରକାର ଅତି ସହଜରେ ଆବଶ୍ୟକ ସଂଖ୍ୟା ହାସଲ କରିଛନ୍ତି। ୨୮୮ ସଦସ୍ୟ ବିଶିଷ୍ଟ ଗୃହରେ ୧୬୪ ବିଧାୟକ ଆସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍‌ ଦେଇଛନ୍ତି। ଅନ୍ୟପକ୍ଷେ ଏମ୍‌ଭିଏ (ମହା ବିକାଶ ଅଘାଡ଼ି) ମେଣ୍ଟକୁ ଗତକାଲିର ବାଚସ୍ପତି ନିର୍ବାଚନରେ ୧୦୭ ଭୋଟ ମିଳିଥିବାବେଳେ ଆଜି ମାତ୍ର ୯୯ଟି ଭୋଟ୍‌ ମିଳିଛି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ବେକର କହିଛନ୍ତି, ଆସ୍ଥା ଭୋଟ୍‌ରେ ସିନ୍ଦେ ସରକାରଙ୍କୁ ବିପୁଳ ଭୋଟ୍‌ ମିଳିଛି। ନିକଟରେ ଜଣେ ଶିବସେନା ବିଧାୟକଙ୍କ ମୃତ୍ୟୁ କାରଣରୁ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ସଂଖ୍ୟା ଏବେ ୨୮୭ ରହିଛି। ତେଣୁ ଆସ୍ଥା ଭୋଟ ଜିତିବା ପାଇଁ ମ୍ୟାଜିକ୍‌ ସଂଖ୍ୟା ହେଉଛି ୧୪୪। କିନ୍ତୁ ସିନ୍ଦେ ସରକାରକୁ ଏହାଠାରୁ ଯଥେଷ୍ଟ ଅଧିକ ସଂଖ୍ୟା ମିଳିଛି। ଆଜି ସକାଳେ ଠାକ୍‌ରେ ଗୋଷ୍ଠୀର ଜଣେ ବିଧାୟକ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଛନ୍ତି ଏବଂ ସିନ୍ଦେଙ୍କ ସମର୍ଥନରେ ଭୋଟ୍‌ ଦେଇଛନ୍ତି। ସେହିପରି ଠାକ୍‌ରେ ଗୋଷ୍ଠୀର ଅନ୍ୟ ଜଣେ ସଦସ୍ୟ ମଧ୍ୟ ସିନ୍ଦେଙ୍କ ସମର୍ଥନରେ ଭୋଟ୍‌ ଦେଇଛନ୍ତି।

ଆସ୍ଥା ଭୋଟବେଳେ ୨୧ ଜଣ ଗୃହରେ ଅନୁପସ୍ଥିତ ଥିବାବେଳେ ୩ ଜଣ ଭୋଟଦାନରୁ ବିରତ ରହିଥିଲେ। ସପା ବିଧା‌ୟକ ଅବୁ ଅଜ୍‌ମି ଏବଂ ରାଇସ ଶେଖ, ଏଆଇଏମ୍‌ଆଇଏମ୍‌ର ଶାହ ଫାରୁକ ଅନୱର ଭୋଟ୍‌ ଦେବାରୁ ବିରତ ରହିଛନ୍ତି। ଭୋଟ୍‌ ସମୟରେ ଗୃହରେ ଅନୁପସ୍ଥିତ ଥିବା ଏନ୍‌ସିପି ବିଧା‌ୟକମାନେ ହେଉଛନ୍ତି ଅନୀଲ ଦେଶମୁଖ, ନୱାବ ମଲିକ, ଦତ୍ତାତ୍ରୟ ଭରାନେ, ଆନ୍ନା ବନସୋଦେ, ବାବାନ୍ଦଦା ସିନ୍ଦେ ଏବଂ ସଂଗ୍ରାମ ଜଗତପ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା ବିରୋଧରେ ଯେଉଁ ବିଦ୍ରୋହ କରିଥିଲେ ସେଥିରେ ବିଜେପି ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା। ଆସ୍ଥା ଭୋଟ୍‌ ଜିତିବାପରେ ପ୍ରଥମ ଥର ପାଇଁ ସିନ୍ଦେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଦ୍ରୋହ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତାଙ୍କୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିଥିଲେ । କିନ୍ତୁ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ବିଦ୍ରୋହର ‘ସବୁଠୁ ବଡ଼ କଳାକାର’ ଥିଲେ। ସିନ୍ଦେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଶପଥ ନେବା ପୂର୍ବରୁ ମତେ ସବୁ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶାହ ସାହେବ ଆମ ପଛରେ ପଥର ଭଳି ଠିଆ ହେବେ ବୋଲି କହିଥିଲେ। କିନ୍ତୁ ସବୁଠୁ ବଡ଼ କଳାକାର ହେଉଛନ୍ତି ଜଣେ। ସିନ୍ଦେ ଫଡ଼ନାବିସଙ୍କ ନାଁ ନେଇନଥିଲେ ମଧ୍ୟ ଗୃହରେ ଫଡ଼ନାବିସଙ୍କୁ ଅଙ୍ଗୁଳି ନିକ୍ଷେପ କରି ଏହି ଟିପ୍ପଣୀ ଦେଇଥିଲେ।

ବିଧାନସଭାରେ କାନ୍ଦି ପକାଇଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଗୃହରେ ଆସ୍ଥା ଭୋଟ୍‌ ଜିତିବାପରେ ପ୍ରଥମ ଭାଷଣ ରଖିଥିଲେ। ଗୃହରେ ଭାଷଣ ଦେବା ସମୟରେ ସିନ୍ଦେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ। ନିଜ ୨ ପିଲାଙ୍କୁ ସେ ହରାଇ ଦେଇଛନ୍ତି ବୋଲି କହି ଗୃହରେ କାନ୍ଦି ପକାଇଥିଲେ। ସିନ୍ଦେଙ୍କ ୧୧ ବର୍ଷର ପୁଅ ଏବଂ ୭ ବର୍ଷର ଝିଅ ସେମାନଙ୍କ ଗାଁ ନିକଟସ୍ଥ ଏକ ହ୍ରଦରେ ବୋଟିଂ କରୁଥିବାବେଳେ ବୋଟ୍‌ ଓଲଟି ପଡ଼ିଥିଲା। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପ‌ରେ ସିନ୍ଦେ କିଛି ମାସ ପର୍ଯ୍ୟନ୍ତ ବିଷାଦକୁ ଚାଲି ଯାଇଥିଲେ। ଶିବସେନା ନେତା ଆନନ୍ଦ ଦିଘେ ତାଙ୍କୁ ଏହି ସମୟରେ ସମର୍ଥନ କରିଥିଲେ ଏବଂ ପୁଣିଥରେ ରାଜନୀତିକୁ ଫେରାଇ ଆଣିଥିଲେ। ସେ ସମୟରେ ସିନ୍ଦେ ଜଣେ କର୍ପୋରେଟର ଭାବେ କାମ କରୁଥିଲେ। ଆଜି ଏହି ପୂର୍ବ କଥାକୁ ମନେ ପକାଇ ସିନ୍ଦେ ଗୃହ‌ରେ କାନ୍ଦି ପକାଇଥିଲେ। ସିନ୍ଦେ କହିଛନ୍ତି, ମୋ ବାପା ମା’ ଏବଂ ପୁଅକୁ ମୁଁ ବେଶି ସମୟ ଦେଇପାରିନି। ମୋ ବାପା ବଞ୍ଚିଛନ୍ତି। କିନ୍ତୁ ମା’ଙ୍କ ଦେହାନ୍ତ ହୋଇସାରିଛି।

ସିନ୍ଦେ କହିଛନ୍ତି, ଏମ୍‌ଭିଏ ସରକାରରେ ମୁଁ ମୁଖ୍ୟମନ୍ତ୍ରୀ ହେବି ବୋଲି ପ୍ରଥମେ ଜଣାପଡ଼ୁଥିଲା। କିନ୍ତୁ ପରେ ଅଜିତ ଦାଦା (ଅଜିତ ପାୱାର) କିମ୍ବା ଅନ୍ୟକେହି କହିଥିଲେ ଯେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିବିନି। ମୋର ଏଥିରେ କିଛି ସମସ୍ୟା ନଥିଲା। ମୁଁ ଉଦ୍ଧବ ଠାକ୍‌ରେଙ୍କୁ ଆଗକୁ ବଢ଼ିବାପାଇଁ କହିଥିଲି। ମୁଖ୍ୟମନ୍ତ୍ରୀ ପଦ ଉପରେ ମୁଁ କେବେ ଆଖି ପକାଇ ନଥିଲି ବୋଲି ସିନ୍ଦେ କହିଛନ୍ତି। ସିନ୍ଦେ କହିଛନ୍ତି ଦୀର୍ଘ ଦିନ ଧରି ତାଙ୍କୁ ଦବାଇ ରଖାଯାଇଥିଲା। ତାଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରାଯାଇଛି ତା’ର ଫଳସ୍ବରୂପ ବିଦ୍ରୋହ ହୋଇଛି। ଗୋଟିଏ ଦିନରେ କିଛି ହୋଇଯାଇନି ବୋଲି ସିନ୍ଦେ କହିଛନ୍ତି।

ସମ୍ବନ୍ଧିତ ଖବର