ପାଣ୍ଠି ସଂଗ୍ରହ ପାଇଁ ପାକ୍‌ରେ ଯୁଦ୍ଧ ଭଳି ସ୍ଥିତି

ସିନ୍ଧୁ ନଦୀରେ ବିବାଦୀୟ ଡ୍ୟାମ୍‌

ଇସଲାମାବାଦ୍‌: ସିନ୍ଧୁ ନଦୀରେ ବିବାଦୀୟ ଦିମର-ଭାସା ଡ୍ୟାମ୍‌ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଡ଼ କରିବା ଏବେ ପାକିସ୍ତାନ ସରକାରଙ୍କ ନିମନ୍ତେ ବଡ଼ ଚ୍ୟାଲେଂଜ ହୋଇଛି। ପାକିସ୍ତାନ ସରକାର ଓ ସେନା ପାଣ୍ଠି ଯୋଗାଡ଼ ପାଇଁ ଦେଶରେ ଭାରତ ବିରୋଧୀ ବାତାବରଣ ସୃଷ୍ଟି କରି ନୂଆ ଚାଲ୍‌ ଖେଳିଛନ୍ତି। ଭାରତ ସହିତ ୧୯୬୫ରେ ଯୁଦ୍ଧ ଲଢ଼ିବା ସମୟରେ ପାକିସ୍ତାନ ଯେଭଳି ପାଣ୍ଠି ସଂଗ୍ରହ କରିଥିଲା ସେଭଳି ସ୍ଥିତି ସୃଷ୍ଟି କରିବାକୁ ପ୍ରୟାସ ହୋଇଥିବା ଦେଖିବାକୁ ମିଳୁଛି। ଡ୍ୟାମ୍‌ ପାଇଁ ଅର୍ଥ ଦେବାକୁ ସବୁ ମହଲକୁ ବାଧ୍ୟ କରାଯାଉଥିବା ବେଳେ ବିଚାର ବିଭାଗ ମଧ୍ୟ ଏଥିରେ ପ୍ରମୁଖ ଭୂମିକା ନେଇଛି। ପାଣ୍ଠି ଯୋଗାଡ଼ ପାଇଁ ସବୁ ସହରରେ କାର୍ଯ୍ୟାଳୟ ଖୋଲିଛି। ପାକ୍‌୍‌ ଅଧିକୃତ କଶ୍ମୀରରେ ସିନ୍ଧୁ ନଦୀ ଉପରେ ହେଉଥିବା ଏହି ଡ୍ୟାମ୍‌କୁ ଭାରତ ଜୋରଦ୍‌୍‌ାର ବିରୋଧ କରୁଥିବାରୁ ଏଥିପାଇଁ କୌଣସି ଅନ୍ତର୍ଜାତୀୟ ସହାୟତା ପାକିସ୍ତାନକୁ ମିଳୁନାହିଁ। ଗିଲଗିଟ୍‌-ବାଲତିସ୍ତାନରେ ନିର୍ମାଣାଧୀନ ଥିବା ଏହି ଦିମର ଭାସା ନଦୀ ବନ୍ଧର ମୂଳଦୁଆ ପଡ଼ିଥିଲା ୨୦୧୧ ମସିହା ଅକ୍ଟୋବର ୧୮ ତାରିଖରେ। କିନ୍ତୁ ଏହି ବେଆଇନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାପାଇଁ ପାକିସ୍ତାନ ପାଖରେ ଅର୍ଥ ନାହିଁ। ଦେଶବ୍ୟାପୀ ଭାରତ ବିରୋଧରେ ଅପପ୍ରଚାର କରି ଏବେ ପାକିସ୍ତାନ ସରକାର ଅର୍ଥ ଯୋଗାଡ଼ ପାଇଁ ଜାତୀୟତାବାଦର ଦ୍ୱାହି ଦେଇଛନ୍ତି। ପାକିସ୍ତାନର ପ୍ରଧାନ ବିଚାରପତି, ସେନା ସଦସ୍ୟ ଏବଂ ଖେଳାଳିମାନେ ମଧ୍ୟ ଏହି ଡ୍ୟାମ୍‌ ପାଇଁ ବିପୁଳ ଅର୍ଥ ଦେଇଥିବା ଜଣାପଡ଼ିଛି। ଏନେଇ ଏକ ସ୍ୱତନ୍ତ୍ର ଆକାଉଣ୍ଟ୍‌ ଖୋଲାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପାକିସ୍ତାନ ସରକାରଙ୍କ ଫାଇନାନ୍ସ ଡିଭିଜନ୍‌ ଦ୍ୱାରା ‘ଦିମର-ଭାସା ଡ୍ୟାମ୍‌ ଏବଂ ମହମ୍ମଦ ଡ୍ୟାମ୍‌ ଫଣ୍ଡ୍‌-୨୦୧୮’ ନାମକ ଏକ ଆକାଉଣ୍ଟ୍‌ ଖୋଲାଯାଇଛି। ପାକିସ୍ତାନର ପ୍ରଧାନ ବିଚାରପତି ସକିବ ନିସର ଉକ୍ତ ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ତିନି ସେନାର ସମସ୍ତ ସଦସ୍ୟଙ୍କ ୨ ଦିନର ଦରମା ମଧ୍ୟ ଏହି ପ୍ରକଳ୍ପ ପାଣ୍ଠିକୁ ଯାଇଛି।

ସମ୍ବନ୍ଧିତ ଖବର