ଗଣମାଧ୍ୟମରେ ପ୍ରକାଶ ପାଉଛି, ବାଘବଂଶ ଲୋପ ପାଇଯିବ। ଲୋକଙ୍କ ପ୍ରତିକ୍ରିୟା ନାହିଁ। ‘କୋଉ ଅଛନ୍ତି ଯେ ଲୋପ ପାଇବେ’, ‘ଥିଲେ ତ ଲୋପ ପାଇବା କଥା ଉଠିବ’, ‘ଲୋପ ପାଇଗଲେଣି ନା ପାଇଯିବେ?’ ଏମିତି କିଛି ଉପରଠାଉରିଆ ପ୍ରତିକ୍ରିୟା ଛଡା ବିଶେଷ ଅଧିକ କିଛି ନାହିଁ। କିଛି ମାସ ତଳେ ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ରଶୂନ୍ୟ ହେବା ନେଇ ପ୍ରମୁଖତାର ସହ ଖବର ପରିବେଷଣ କରାଯାଇଥିଲା। ନା ସରକାର ଖୋଳତାଡ କଲେ, ନା ବିରୋଧୀ ତମ୍ବିତୋଫାନ କଲା! ନା ରାଜ୍ୟବାସୀ ଉଦବେଗ ପ୍ରକାଶ କଲେ, ନା ଜିଲ୍ଲାର ନାଗରିକ ସମାଜ କ୍ଷୋଭ ପ୍ରକାଶ କଲା।ସତେ ଯେମିତି କାହାର କିଛି ଯାଏଆସେ ନାହିଁ। ୨୯ ଜୁଲାଇ ଶନିବାର ଆମେ ପାଳିଲେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ଆମର ଜଣେ ପ୍ରମୁଖ ଗୁରୁଜନ ଜଗନ୍ନାଥ ପ୍ରସାଦ ଦାସ, ଯାହାଙ୍କୁ ଜେପି କହିଲେ ସମସ୍ତେ ଜାଣନ୍ତି, ଫେସବୁକରେ ଏହି ଦିବସର ଅବ୍ୟବହିତ ପୂର୍ବରୁ ଏକ ସୁନ୍ଦର ପୋଷ୍ଟ କଲେ। ପିଲାମାନଙ୍କ ପାଇଁ ସଚିତ୍ର ବାଘମାମୁ ଗୀତ ପରଷିଲେ। ‘ସମ୍ବାଦ’ରେ ମଧ୍ୟ ଶିମିଳିପାଳ ବ୍ୟାଘ୍ରଶୂନ୍ୟ ହେବାର ତଥ୍ୟଭିତ୍ତିକ ଆଶଙ୍କା ପ୍ରମୁଖତାର ସହ ପ୍ରକାଶ ପାଇଲା। ଓଲ୍ଲେ ନାହିଁ କି ଡୋଲ୍ଲେ ନାହିଁ। ଟୁଙ୍ଗୁରୁ ଭୋଳ ପ୍ରେମ ପ୍ରସଙ୍ଗରେ ଉଭୟ ମୁଖ୍ୟସ୍ରୋତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ମୁଖରିତ ହୋଇଉଠିଥିବା ବେଳେ ଏହି ପ୍ରସଙ୍ଗରେ ଆଲୋଚନା ସୁଦ୍ଧା କରିବାକୁ କେହି ରାଜି ନୁହନ୍ତି। ମନେହୁଏ, ଅଯଥାରେ ଅର୍ଥଶ୍ରାଦ୍ଧ ନ କରି ସରକାର ଓ ନାଗରିକ ସମାଜ ବରଂ ହାତ ଟେକିଦିଅନ୍ତୁ। ବାଘମାମୁକୁ ଆମେ ଆଈମା କାହାଣୀର କଥାବସ୍ତୁ ଭିନ୍ନ ଆଉ ଅଧିକ କିଛି ଚାହୁନା -ଏହି ମର୍ମରେ ଅନ୍ତତଃ ଏକ ଅଲିଖିତ ଚୁକ୍ତି ହେଇଯାଉ।
ଏଇ ଗତକାଲି ଶନିବାର ନୂଆ ରିପୋର୍ଟରୁ ଜଣାପଡ଼ିଛି, ରାଜ୍ୟରେ ବାଘସଂଖ୍ୟା କମିଛି। ‘ବାଘ କୋଉଠି ଆଉ ଥିଲା ଯେ ଏବେ କମିଗଲା’ ଭଳି ଉପରଠାଉରିଆ, ନୈରାଶ୍ୟଜନକ ମନ୍ତବ୍ଯଟିଏ ଦେଇ ବସିଯିବା ଲୋକ ତ ବହୁତ ବାହାରିବେ। ଏହି ଚିନ୍ତାଜନକ ବିଷୟରେ ମୂଳକୁ ଯାଇ ପ୍ରତିକାର ଖୋଜିବା ଲୋକଙ୍କ ସଂଖ୍ୟା ବଢିବା ଦରକାର। ବାଘମାନଙ୍କର ବଂଶ ବୃଦ୍ଧି ପାଇଁ ମୂଳ ପଦକ୍ଷେପ କ’ଣ ବୋଲି ପ୍ରଶ୍ନର ଉତ୍ତର ଛୋଟଛୁଆଟିଏ ବି ଦେଇପାରିବ। ସେମାନଙ୍କ ବାସସ୍ଥଳୀ ହେଲା ଘଞ୍ଚ ବନାନୀ। ଜଙ୍ଗଲ ସଫା ବନ୍ଦ କରିବା ଓ ବ୍ୟାପକ ସବୁଜିମା ସୃଷ୍ଟି କରିବା ଅନ୍ୟତମ ପ୍ରାଥମିକତା ହେଲେ, ବାଘ ଥାଉ କି ନଥାଉ, ପରିବେଶ ବଞ୍ଚିଯିବ।
ନିଜ ମନ ପ୍ରଫୁଲ୍ଲ ରଖିବାକୁ ଗାଅ,
କ’ଣ ପ୍ରଶଂସା ହେଲେ ଯାଇ ଚଳେ?
ସାମାଜିକ ଗଣମାଧ୍ୟମକୁ ଏବେ ଆଉ ଏକ ଧାରା ଆଚ୍ଛାଦିତ କରିଛି। ଏମିତିରେ ସାଧାରଣ ଲୋକଙ୍କ ଆୟତ୍ତରେ ସଙ୍ଗୀତ ଥାଉ ନ ଥାଉ, ସେମାନେ କିନ୍ତୁ ଏଥିପାଇଁ ସବୁବେଳେ ପାଗଳ। ତେବେ ଦିନ ଥିଲା, ସଙ୍ଗୀତ କେବଳ ଭଲ ଗାୟକଗାୟିକା ଓ ବାଦ୍ୟଯନ୍ତ୍ର ଚାଳକଙ୍କର ବୋଲି ଧରାଯାଉଥିଲା। ଆଜିକାଲି ଏହା ସାଧାରଣ ଲୋକଙ୍କ କରାୟତ୍ତ ହେବାକୁ ଯାଉଛି। କାରାଓକେ ସାହାଯ୍ୟରେ ସାଙ୍ଗସାଥୀ, ସ୍ବାମୀ-ସ୍ତ୍ରୀ, ପ୍ରେମିକ-େପ୍ରମିକା ଗୀତ ବୋଲୁଛନ୍ତି। ପ୍ରସିଦ୍ଧ ଗୀତଗୁଡିକର ଟ୍ରାକ୍ ନେଇ ଗୀତ ରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି। କିଏ କେତେ 'ଲାଇକ୍' ପାଇଲା ତା'ର ବି ହିସାବ ହେଉଛି। ସ୍ବର ଭଲ ଥାଉ କି ନ ଥାଉ, ଭଲ ଗୀତଟିଏର ଟ୍ରାକ୍ ଲଗାଇ କଣ୍ଠଦାନ କରି ସମସ୍ତଙ୍କୁ ଫରୱାର୍ଡ କରିବା ଏକ ଧାରା ହେଲାଣି। ବିଭିନ୍ନ ଇମୋଜିରେ ଭର୍ତ୍ତି ହୋଇଯାଉଛି ପ୍ରତିକ୍ରିୟା ସ୍ତମ୍ଭ। ବହୁତ ଭଲ କଥା। ଯଦି ଶାଳୀନତା ରହୁଛି ଓ ଲୋକେ ଗୀତ ବୋଲି ଖୁସି ହେଉଛନ୍ତି, ଯେତେ ଅଧିକ ଲୋକ ଏହି ଧାରାକୁ ଆସିଲେ ସେତେ ଭଲ। ହେଲେ ପ୍ରକ୍ରିୟାଟି ଚାପୁଲୁସିଆ କାରବାରର ମାଧ୍ୟମ ମଧ୍ୟ ପାଲଟୁଥିବା ଦେଖାଯାଉଛି। ତୋଷାମଦିଆମାନେ ସୌଖୀନ ଗାୟକଗାୟିକାଙ୍କୁ ପ୍ରଶଂସାରେ ପୋତିପକାଉଛନ୍ତି। ଧୁଆମୂଳା ଅଧୁଆମୂଳା ସବୁ ସମାନ ହୋଇଯିବାର ଆଶଙ୍କା ରହୁଛି। ପ୍ରତିଭାବାନ୍ଙ୍କୁ ପ୍ରଶଂସା ଓ ଅନ୍ୟମାନଙ୍କୁ କେବଳ ଧନ୍ୟବାଦ ହିଁ ଯଥେଷ୍ଟ ହେବା କଥା।