କେଜ୍ରିୱାଲଙ୍କ ଟ୍ବିଟ୍‌ରେ ସିଙ୍ଗାପୁର କ୍ଷୁବ୍ଧ, କେଜ୍ରିୱାଲଙ୍କ ମତ ଭାରତର ନୁହେଁ: ଜୟଶଙ୍କର

ନୂଆଦିଲ୍ଲୀ: ‘ସିଙ୍ଗାପୁର ପ୍ରଜାତି ଭୂତାଣୁ ଅତ୍ୟନ୍ତ ମାରାତ୍ମକ। ଭାରତରେ ଏହା ତୃତୀୟ ଲହର ଆଣିପାରେ। ଶିଶୁଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ତେଣୁ ସିଙ୍ଗାପୁର ସହିତ ବିମାନ ଉଡ଼ାଣକୁ ତୁରନ୍ତ ବନ୍ଦ କରିବା ଏବଂ ଛୋଟ ପିଲାଙ୍କୁ ଟିକା ଦେବା ପାଇଁ ପଦକ୍ଷେପ ନିଆଯାଉ’ ବୋଲି ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ମନ୍ତବ୍ୟରେ ସିଙ୍ଗାପୁର କ୍ଷୁବ୍ଧ ହୋଇଛି। ବୁଧବାର ସିଙ୍ଗାପୁର ବିଦେଶ ମନ୍ତ୍ରୀ ଭିଭିଆନ ବାଲକ୍ରିଷ୍ଣନ୍‌ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସାମାଜିକ କର୍ମୀରୁ ରାଜନେତା ବନିଥିବା କେଜ୍ରିୱାଲ ତଥ୍ୟ ଆଧାରରେ ମନ୍ତବ୍ୟ ରଖନ୍ତୁ ବୋଲି ବାଲକ୍ରିଷ୍ଣନ୍ କହିଛନ୍ତି। ରାଜନେତାମାନେ ତଥ୍ୟକୁ ଦେଖିବା ଉଚିତ। କରୋନାର କୌଣସି ସିଙ୍ଗାପୁର ପ୍ରଜାତି ନାହିଁ। ବରଂ ବି.୧.୬୧୭ ପ୍ରଜାତିର ଭୂତାଣୁ କିଭଳି ସିଙ୍ଗାପୁରରେ ବ୍ୟାପିଛି ତାହାର ବିସ୍ତୃତ ତଥ୍ୟ ବାଲକ୍ରିଷ୍ଣନ୍‌ ତାଙ୍କ ଟ୍ବିଟ୍‌ରେ ଆଟାଚ୍ କରିଛନ୍ତି। ବି.୧.୬୧୭ ପ୍ରଜାତିର ଭୂତାଣୁ ଭାରତରେ ଦେଖାଦେଇଥିଲା। ଏଠାରୁ ଏହା ବ୍ରିଟେନ, ସିଙ୍ଗାପୁର ସମେତ ବହୁଦେଶକୁ ବ୍ୟାପିଛି ବୋଲି ସେ କହିଛନ୍ତି। ସିଙ୍ଗାପୁର ସରକାର ଆଜି ଏହି ପ୍ରସଙ୍ଗରେ ଭାରତର ରାଷ୍ଟ୍ରଦୂତଙ୍କ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛନ୍ତି। ‌ତେବେ ଭାରତ ପକ୍ଷରୁ ସିଙ୍ଗାପୁର ସରକାରଙ୍କୁ କୁହାଯାଇଛି ଯେ କୋଭିଡ ଭୂତାଣୁର ପ୍ରଜାତି କିମ୍ବା ବେସାମରିକ ବିମାନ ଚଳାଚଳ ନୀତି ସଂପର୍କରେ କହିବା ଅଧିକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ନାହିଁ । ସିଙ୍ଗାପୁର ତାଙ୍କ ବୟାନକୁ ଗୁରୁତ୍ବ ନଦେବା ପାଇଁ କୁହାଯାଇଛି।

ସିଙ୍ଗାପୁର ପ୍ରଜାତିର କରୋନା ଭୂତାଣୁ ସଂପର୍କରେ ଭାରତର କେତୋଟି ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ମଧ୍ୟ ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ସିଙ୍ଗାପୁର ପ୍ରତିକ୍ରିୟା ବ୍ୟକ୍ତ କରିବା ପରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏଥିରେ ହସ୍ତକ୍ଷେପ କରିଛନ୍ତି। ସେ ଏକ ଟ୍ବିଟ୍ କରି ଏ ସଂପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ଜୟଶଙ୍କର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତ ପାଇଁ କୁହନ୍ତି ନାହିଁ। ସିଙ୍ଗାପୁର ଏବଂ ଭାରତ କରୋନା ମହାମାରୀ ବିରୋଧରେ ମିଳିତ ଭାବେ ଲଢ଼େଇ କରୁଛନ୍ତି। ଦୀର୍ଘଦିନ ହେଲା ଦୁଇ ଦେଶ ମଧ୍ୟରେ ଥିବା ଉତ୍ତମ ସଂପର୍କକୁ ଦାୟିତ୍ବହୀନ ମନ୍ତବ୍ୟ ଖରାପ ‌କରିଦେଇପାରେ ବୋଲି ଜୟଶଙ୍କର କହିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ୨୦୨୦ ମାର୍ଚ୍ଚରୁ ସିଙ୍ଗାପୁରକୁ ବିମାନ ଉଡ଼ାଣ ବନ୍ଦ ରହିଛି। ଅଯଥା ବୟାନ ବିଭ୍ରାନ୍ତି ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର