ତିରୁବନନ୍ତପୁରମ୍‌: କେରଳର ଆଲ୍ଲାପୁଜାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଲ୍ଲାପୁଜାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳର ଲୋକପ୍ରିୟ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରୁଥିବା ବେଳେ ମଞ୍ଚ ଉପରେ ଟଳି ପଡ଼ିଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଛି। କଣ୍ଠଶିଳ୍ପୀ ଜଣକ ହେଉଛନ୍ତି ଏଡ୍‌ବା ବସିର୍‌। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ରାଜନେତାରୁ ନେଇ ସିନେ ଜଗତର ବ୍ୟକ୍ତିତ୍ବ ସବୁ ସମବେଦନା ଜଣାଇଛନ୍ତି।

Advertisment

ଗତ ୨୮ ତାରିଖ ଦିନ ଏହି ଜଣାଶୁଣା ଗାୟକ ତାଙ୍କର ଅନ୍ତିମ ନିଶ୍ବାସ ତ୍ୟାଗ କରିଛନ୍ତି। ସେ କାର୍ଯ୍ୟକ୍ରମରେ ଲାଇଭ୍‌ ଗୀତ ପରିବେଷଣ କରୁଥିବା ବେ‌ଳେ ଅଚାନକ ମଞ୍ଚରେ ପଡ଼ି ଯାଇଥିଲେ। ସେଇଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

କେରଳର ଆଲ୍ଲାପୁଜାଠାରେ ବ୍ଲୁ ଡାଇମଣ୍ଡ୍‌ ଅର୍କେଷ୍ଟ୍ରା ମଣ୍ଡଳିର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ଏଡ୍‌ବା ବସୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ପ୍ରଶଂସକମାନେ ଅନୁରୋଧ କରିବାରୁ ସେ ମଞ୍ଚ ଉପରକୁ ଆସି ଏକ ଗୀତ ଗାଇଥିଲେ। ସେହି ଗୀତ ହିଁ ତାଙ୍କର ଶେଷ ଗୀତ ହୋଇଗଲା।

ସେ ମଞ୍ଚ ଉପରକୁ ଯାଇ ‘ମାନା ‌ହୈ ତୁମ୍‌ ବହତ୍‌ ହସିନା’ ଗୀତ ଗାଇବା ଆରମ୍ଭ କରିଥିଲେ। ତଳେ ଥିବା ସଂଗୀତ ପ୍ରେମୀମାନେ ଗୀତଟିକୁ ବେଶ୍‌ ଉପଭୋଗ କରୁଥିଲେ। ମାତ୍ର ଗୀତଟି ସରିବାକୁ ଆଉ ମାତ୍ର କିଛି ସମୟ ବାକି ଥାଏ ସେ ମଞ୍ଚ ଉପରେ ଟଳି ପଡ଼ିଲେ।