ମୁମ୍ବାଇ : ବିଶିଷ୍ଟ କଣ୍ଠଶିଳ୍ପୀ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍କର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଛାତିରେ ସଂକ୍ରମଣ କାରଣରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରେ ଲତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍କୁ ନିଆଯାଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇ ପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ପରିବାରର ସମସ୍ତ ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ଖୁବ୍ ଶୀଘ୍ର ସେ ଆରୋଗ୍ୟ ଲାଭ କରନ୍ତୁ ବୋଲି ଭଉଣୀ ଆଶା ଭୋଁସ୍ଲେ କହିଛନ୍ତି।
ଛାତିରେ ସଂକ୍ରମଣ ଯୋଗୁଁ ନିଶ୍ବାସ ନେବାରେ ସେ କଷ୍ଟ ଅନୁଭବ କରୁଛନ୍ତି। ସେ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତକାଲି ଲତା ‘ପାନିପତ୍’ ଫିଲ୍ମରେ ଅଭିନୟ କରିଥିବା ପଦ୍ମିନୀ କୋହ୍ଲାପୁରୀଙ୍କ ଏକ ଫଟୋକୁ ଟ୍ବିଟ୍ କରିଥିଲେ। ପଦ୍ମିନୀ କୋହ୍ଲାପୁରୀଙ୍କ ଫଟୋ ଟ୍ବିଟ୍ କରି ଲତା ଲେଖିଥିଲେ ‘ନମସ୍କାର ମେରି ବେହେନ୍ଜୀ ପଦ୍ମିନୀ କୋହ୍ଲାପୁରୀ ଏକ ବହତ୍ ଅଛି କଲାକାର ହୈ ଔର ଅବ୍ ୱ ପାନିପତ ଇସ୍ ଫିଲ୍ମମେ ଗୋପିକା ବାଈ କା କିର୍ଦାର ନିଭା ରହି ହୈ’।
ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୮ରେ ଲତା ୯୦ ବର୍ଷରେ ପଦାର୍ପଣ କରିଥିଲେ। ତାଙ୍କର ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟିଥିଲା। ଲତା ଏକ ହଜାର ହିନ୍ଦୀ ସିନେମା ସଙ୍ଗୀତରେ କଣ୍ଠଦାନ କରିଥିବା ବେଳେ ୩୬ଟି ଆଞ୍ଚଳିକ ଭାଷାରେ ମଧ୍ୟ କଣ୍ଠଦାନ କରିଛନ୍ତି। ସେ ଭାରତ ରତ୍ନ ସମେତ ଦାଦା ସାହେବ ଫାଲ୍କେ ଭଳି ସର୍ବୋଚ୍ଚ ସମ୍ମାନ ଲାଭ କରିଛନ୍ତି।