ହରିଆଣା: ହରିଆଣାର ଲୋକପ୍ରିୟ ଲୋକସଂଗୀତ ଗାୟିକା ୪୫ ବର୍ଷୀୟା ମମତା ଶର୍ମାଙ୍କୁ ଅଜ୍ଞାତ ବ୍ୟକ୍ତି ଗଳା କାଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ୪ ଦିନ ଧରି ନିଖୋଜ ଥିବା ମମତାଙ୍କ ମୃତ ଶରୀର ଗୁରୁବାର ରୋହତକ୍ର ଏକ ଆଖୁ କ୍ଷେତରୁ ମିଳିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ଗତ ଜାନୁଆରି ୧୪ ତାରିଖରେ ଗୋହାନାର ଗୋଶାଳା ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଡ୍ରାଇଭର ମୋହିତ ସହ ମମତା ଘରୁ ବାହାରିଥିଲେ। ଲାହଲୀ ନିକଟରେ ଏକ କାରରେ ଥିବା ୨ ଜଣ ଯୁବକ ଗାଡି ଅଟକେଇବାକୁ ଇସାରା ଦେବାରୁ ମୋହିତ ଗାଡି ଅଟକେଇଥିଲା। ମମତା ସେହି ୨ ଯୁବକଙ୍କୁ ଚିହ୍ନିଥିବା ଏବଂ ଅଧ ଘଣ୍ଟା ପରେ ବସଷ୍ଟାଣ୍ଡ ନିକଟରେ ମୋହିତକୁ ଭେଟିବେ ବୋଲି କହି ଗାଡିରୁ ଓହ୍ଲେଇ ସେମାନଙ୍କ ସହ ଚାଲିଯାଇଥିଲେ। ତେବେ ମମତାଙ୍କ ଯିବା ପରେ ହିଁ ତାଙ୍କ ମୋବାଇଲ ବନ୍ଦ ଦେଖାଇବାରୁ ମୋହିତ ମମତାଙ୍କ ପରିବାରକୁ ସୂଚନା ଦେଇଥିଲେ। ପରଦିନ ପରିବାରବର୍ଗ ପୁଲିସରେ ଅଭିଯୋଗ କରିବାରୁ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା। ମାତ୍ର ଦୀର୍ଘ ୪ ଦିନ ପରେ ରୋହତକ୍ର ଏକ ଆଖୁ କ୍ଷେତରୁ ମମତାଙ୍କ ରକ୍ତାକ୍ତ ଶରୀର ମିଳିଥିଲା। ପୁଲିସ ସୂଚନା ପାଇ ଶବ ଉଦ୍ଧାର କରିବା ସହ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟରୁ କୌଣସି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ମମତାଙ୍କ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ କହିଛି।
ଲୋକଗୀତ ଗାୟିକାଙ୍କୁ ଗଳା କାଟି ହତ୍ୟା
/sambad/media/post_attachments/wp-content/uploads/2018/01/download-6.jpg)