ମୁମ୍ବାଇ: ମହାରାଷ୍ଟ୍ର ସରକାର ଆଉ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୯ ତାରିଖଠାରୁ ମହାରା‌ଷ୍ଟ୍ରର କଲେଜ୍‌ମାନଙ୍କରେ ଜାତୀୟ ସଂଗୀତ ଗାନ କରିବା ବାଧ୍ୟତାମୂଳକ ହୋଇଯିବ। କଲେଜରେ ଜାତୀୟ ସଂଗୀତ ଗାଇବାକୁ ବାଧ୍ୟତାମୂଳକ କରିବା ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବୁଧବାର ମହାରାଷ୍ଟ୍ରର ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି। ଏ ନେଇ ଖୁବ୍‌ ଶୀଘ୍ର ରାଜ୍ୟର ସମସ୍ତ କଲେଜ୍‌କୁ ନିର୍ଦ୍ଦେଶନାମା ପଠାଇ ଦିଆଯିବ ବୋଲି ସୂଚନା ରହିଛି।

Advertisment

ପୁଣେର ଏକ ଉତ୍ସବରେ ମନ୍ତ୍ରୀ ଉଦୟ ସାମନ୍ତ ଯୋଗ ଦେଇ କହିଛନ୍ତି, ‘କଲେଜ୍‌ ଆରମ୍ଭ ହେବା ପୂର୍ବରୁ ପିଲାମାନେ ଜାତୀୟ ସଂଗୀତ ଗାନ କରନ୍ତୁ ବୋଲି ନିକଟରେ ଆମେ ଏକ ନିଷ୍ପତ୍ତି ନେଇଛୁ। ଫେବ୍ରୁଆରି ୧୯ରେ ଶିବ ଜୟନ୍ତୀ ଅବସରରେ ଆମେ ଏହି ବ୍ୟବସ୍ଥା ଆରମ୍ଭ କରିବାର ନିଷ୍ପତ୍ତି ନେଇଛୁ। ଏ ନେଇ ସମସ୍ତ କଲେଜ୍‌କୁ ଏକ ପତ୍ର ପଠାଯିବ। ସମେସ୍ତ ଏହି ନିଷ୍ପତ୍ତିରେ ରାଜି ଅଛନ୍ତି।’

ସେ ଆହୁରି ବି କହିଛନ୍ତି, ‘ଏପରି ହେବା ଦ୍ବାରା ଦିନକୁ ୧୫ ଲକ୍ଷ ଲୋକ ଏକା ସାଙ୍ଗରେ ଜାତୀୟ ସଂଗୀତ ଗାନ କରିବେ। ଏପରି କରିବାରେ ମହାରାଷ୍ଟ୍ର ହେବ ଦେଶର ପ୍ରଥମ ରାଜ୍ୟ।’ ପୂର୍ବରୁ ରାଜ୍ୟର ମହା ବିକାଶ ଅଘାଡ଼ି ସରକାର ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ବାଧ୍ୟତାମୂଳକ କରିଥିଲେ। ପିଲାମାନେ ଶ୍ରେଣୀରେ ପାଠ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଜାତୀୟ ସଂଗୀତ ‘ଜନ ଗଣ ମନ..’ ଗାଇବେ ବୋଲି ଜାନୁଆରି ୨୬ ତାରିଖରୁ ନିୟମ ଲାଗୁ ହୋଇଥିଲା।