୭୩୦ ଦିନ ‘ଚାଇଲ୍‌ଡ୍‌ କେଆର୍‌ ଲିଭ୍‌’ ପାଇବେ ‘ଏକକ’ ପୁରୁଷ କେନ୍ଦ୍ର ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ନିର୍ଭରଶୀଳ ପିଲାଙ୍କ ତତ୍ତ୍ୱ ନେବା ନିମନ୍ତେ ‘ଏକକ’ ପୁରୁଷ କର୍ମଚାରୀମାନଙ୍କୁ କେନ୍ଦ୍ର ସରକାର ସେମାନଙ୍କ ଚାକିରିକାଳ ମଧ୍ୟରେ ସମୁଦାୟ ୭୩୦ ଦିନ ଚାଇଲ୍‌ଡ୍‌ କେଆର୍‌ ଲିଭ୍‌ (ସିସିଏଲ୍‌) ଦେବେ। ଅଦ୍ୟାବଧି ଉକ୍ତ ସୁବିଧା କେବଳ ମହିଳା କର୍ମଚାରୀଙ୍କୁ ମିଳୁଥିଲା। ଦୁଇଟି ସନ୍ତାନଙ୍କ ନିମନ୍ତେ ବର୍ଷକୁ ତିନି ଥରରେ ମହିଳା ସରକାରୀ କର୍ମଚାରୀମାନଙ୍କୁ ସିସିଏଲ୍‌ ମିଳେ।

ଜଣେ ଅବିବାହିତ ବା ବିପତ୍ନୀକ ବା ଛାଡ଼ପତ୍ର ପାଇଥିବା ପୁରଷ ସରକାରୀ କର୍ମଚାରୀଙ୍କୁ ସରକାରୀ ଭାଷାରେ ‘ସିଙ୍ଗଲ୍‌ ମେଲ୍‌’ ବା ‘ଏକକ ପୁରୁଷ’ ବୋଲି ଅଭିହିତ କରାଯାଇଛି।

ଯଦିବା ‘ଏକକ ପୁରୁଷ’ କର୍ମଚାରୀଙ୍କ ସଂଖ୍ୟା ସୀମିତ ତଥାପି ଏହି ପଦକ୍ଷେପ ସଙ୍କେତ ଦେଉଛି, ପିଲାମାନଙ୍କର ପ୍ରଧାନ ପାଳନକାରୀ ନାରୀ ବୋଲି ଚାଲି ଆସିଥିବା ବିଚାରବୋଧ ବଳଦିବା ଆରମ୍ଭ ହୋଇଛି।

ଏହି ୭୩୦ ଦିନ ଛୁଟିର ପ୍ରଥମ ୩୬୫ ଦିନର ପୂର୍ଣ୍ଣ ବେତନ ମିଳିବ ଏବଂ ଦ୍ୱିତୀୟ ୩୬୫ ଦିନରେ ମିଳିବ ଦରମାର ୮୦%।

ସିସିଏଲ୍‌ ଛଡ଼ା, ମହିଳାମାନେ ବେତନ ସହ ୧୮୦ ଦିନ ସକାଶ ମାତୃତ୍ୱ ଛୁଟି ପାଉଥିବା ବେଳେ ପୁରୁଷମାନେ ୧୫ ଦିନ ସକାଶ ଛୁଟି ନେଇ ପାରିବେ।

ସମ୍ବନ୍ଧିତ ଖବର