ଚେନ୍ନାଇ: ଆଗକୁୁ ବିଧାନସଭା ନିର୍ବାଚନ ଥିବା ରାଜ୍ୟ ତାମିଲନାଡ଼ୁରେ ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟା ଶେଷ ହେବାପରେ ଆଜି ଚୂଡ଼ାନ୍ତ ଏସ୍‌ଆଇଆର ତାଲିକା ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକଙ୍କ ଦ୍ବାରା ଏହି ଚୂଡ଼ାନ୍ତ ତାଲିକା ଜାରି କରାଯାଇଛି। ଚୂଡ଼ାନ୍ତ ତାଲିକାରେ ମୋଟ୍‌ ୭୪ ଲକ୍ଷ ଭୋଟରଙ୍କ ନାଁ କଟିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଚ୍ଚନା କହିଛନ୍ତି, ଏସ୍‌ଆଇଆର ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ଭୋଟରଙ୍କ ସଂଖ୍ୟା ୬.୪୧ ‌କୋଟି ଥିଲା। 

Advertisment

ଏସ୍‌ଆଇଆର୍‌ ପ୍ରକ୍ରିୟାରେ ୧୮ରୁ ୧୯ ବୟସବର୍ଗ ମଧ୍ୟରେ ୭.୪୦ ଲକ୍ଷ ଲୋକଙ୍କ ନାଁ ଭୋଟର ତାଲିକାରେ ଯୋଡ଼ି ହୋଇଛି ଏବଂ ୭୪ ଲକ୍ଷ ଭୋଟରଙ୍କ ନାଁ ତାଲିକାରୁ କଟାଯାଇଛି। ଅର୍ଚ୍ଚନା କହିଛନ୍ତି, ଭାରତର ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶ କ୍ରମେ ତାମିଲନାଡ଼ୁ‌ରେ ୨୭.୧୦.୨୦୨୫ରୁ ୨୩.୦୨.୨୦୨୬ ମଧ୍ୟରେ ଏସ୍‌ଆଇଆର୍‌ ପରିଚାଳନା କରାଯାଇଛି। ୨୭.୧୦.୨୦୨୬ ସୁଦ୍ଧା ଭୋଟର ତାଲିକାରେ ୬,୪୧,୧୪,୫୮୭ ଭୋଟର ଥିଲେ। ‌ତେବେ ଗଣନା ପ୍ରକ୍ରିୟା ଶେଷ ହେବାପରେ ୧୯.୧୨.୨୦୨୫ରେ ଚିଠା ତାଲିକା ପ୍ରକାଶ ପାଇଲା। ଏଥିରେ ମୋଟ୍‌ ୫,୪୩,୭୬,୭୫୬ ଜଣଙ୍କ ନାଁ ଥିଲା। ତେବେ ଚୂଡ଼ାନ୍ତ ତାଲିକା ଆସିବା ପରେ ତାମିଲନାଡ଼ୁରେ ଏବେ ମୋଟ୍‌ ଭୋଟରଙ୍କ ସଂଖ୍ୟା ୫.୬୭ କୋଟି ରହିଛି। 

ତାମିଲନାଡ଼ୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ ରାଜ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨.୭ କୋଟି ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୨.୮ କୋଟି । ରାଜ୍ୟରେ ୭,୬୧୭ ଜଣ ତୃତୀୟଲିଙ୍ଗି ଭୋଟର ଅଛନ୍ତି। ନିର୍ବାଚନ କମିସନ କହିଛନ୍ତି, କୌଣସି ଭୋଟର ଯଦି ଅସନ୍ତୋଷ ପ୍ରକାଶ କରନ୍ତି ତେବେ ସେମାନେ ନାଁ ଯୋଡ଼ିବା କିମ୍ବା କାଟିବାପାଇଁ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିପାରିବେ। ଜନ ପ୍ରତିନିଧି ଆଇନ, ୧୯୫୦ର ଧାରା ୨୪ (ଏ) ଅନୁଯାୟୀ ଜଣେ ଭୋଟର ଯଦି ଇଲେକ୍ଟୋରାଲ୍‌ ରେଜି‌‌ଷ୍ଟ୍ରେସନ୍‌ ଅଫିସରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଚାହିବେ ତେବେ ସେମାନେ ପ୍ରଥମେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିବେ। ଏହାବାଦ୍‌ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଫିସର୍‌ଙ୍କ ନିକଟରେ ଦ୍ବିତୀୟ ଆବେଦନ କରାଯାଇପାରିବ।