ନୂଆଦିଲ୍ଲୀ: ବିହାର ପରେ ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଆଜି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ‌ଆରମ୍ଭ ନେଇ ଭାରତର ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଯେଉଁସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏସ୍‌ଆଇଆର୍‌ ହେବ ସେଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର, ଗୋଆ, ପୁଡୁଚେରୀ, ଛତିଶଗଡ଼, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଏବଂ ତେଲେଙ୍ଗାନା। ପାଖାପାଖି ୫୧ କୋଟି ଭୋଟରଙ୍କ ପାଇଁ ଉକ୍ତ ଏସ୍‌ଆଇଆର୍‌ ହେବ। 

Advertisment

ଏସ୍‌ଆଇଆର୍‌ ପ୍ରକ୍ରିୟାରେ ୫.୩୩ ଲକ୍ଷ ବୁଥ୍‌ସ୍ତରର ଅଧିକାରୀ (ବିଏଲ୍‌ଓ), ୭ ଲକ୍ଷରୁ ଅଧିକ ବୁଥ୍‌ସ୍ତରର ଏଜେଣ୍ଟ ସାମିଲ ହେବେ। ତାଲିମ ଓ ଛପା କାର୍ଯ୍ୟକ୍ରମ ଅକ୍ଟୋବର ୨୮ରୁ ଆରମ୍ଭ ହୋଇ ନଭେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ବିଏଲ୍‌ଓମାନେ ଗଣତି ସମୟରେ ପ୍ରତ୍ୟେକ ଘରକୁ ୩ ଥର ଲେଖାଏଁ ପରିଦର୍ଶନ କରିବେ। ନଭେମ୍ବର ୪ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଘରକୁ ଘର ଗଣତି କାର୍ଯ୍ୟ ହେବ। ଚିଠା  ଭୋଟର ତାଲିକା ଡିସେମ୍ବର ୯ ତାରିଖରେ ପ୍ରକାଶ ପାଇବ। ଦାବି ଓ ଅଭିଯୋଗ ଗ୍ରହଣର ସମୟ ୨୦୨୫ ଡିସେମ୍ବର ୯ରୁ ୨୦୨୬ ଡିସେମ୍ବର ୮ ପର୍ଯ୍ୟନ୍ତ ରଖାଯାଇଛି। ନୋଟିସ ପର୍ଯ୍ୟାୟ (ଶୁଣାଣି ଓ ଯାଞ୍ଚ) ଅବଧି ୨୦୨୫ ଡିସେମ୍ବର ୯ରୁ ୨୦୨୬ ଜାନୁଆରି ୩୧ ପର୍ଯ୍ୟନ୍ତ ରହିଛି। ଶେଷରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୬ ଫେବ୍ରୁଆରି ୭ରେ ପ୍ରକାଶ ପାଇବ ବୋଲି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତର ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଆଜି ସୂଚନା ଦେଇଛନ୍ତି।

ସିଇସି ଜ୍ଞାନେଶ କୁମାର ସ୍ପଷ୍ଟ କରିଛନ୍ତି ଯେ ଆଧାରକୁ ପରିଚୟ ଦସ୍ତାବିଜ୍‌ ଭାବେ ଗ୍ରହଣ କରାଯାଇ ପାରିବ। କିନ୍ତୁ ନାଗରିକତା, ବାସସ୍ଥାନ କିମ୍ବା ଜନ୍ମ ତାରିଖ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଯେଉଁ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ‌ଏସ୍‌ଆଇଆର୍‌ ହେବ ସେଠାରେ ଆଜି ମଧ୍ୟରାତ୍ରିରୁ ଭୋଟର ତାଲିକାକୁ ଫ୍ରିଜ୍‌ କରି ଦିଆଯିବ। ଯାଞ୍ଚ ପାଇଁ ୨୦୦୨-୦୪ର ଭୋଟର ତାଲିକା ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ପଶ୍ଚିମବଙ୍ଗ ସରକାରଙ୍କ ସହିତ ଏସ୍‌ଆଇଆର୍‌କୁ ନେଇ ନିର୍ବାଚନ କମିସନ ମୁହାଁମୁହିଁ ହୋଇ ନଥିବା ସେ କହିଛନ୍ତି। ଗଣତି ପର୍ଯ୍ୟାୟରେ କୌଣସି ଦସ୍ତାବିଜ ଆବଶ୍ୟକ ନାହିଁ ବୋଲି ସିଇସି କୁମାର ସ୍ପଷ୍ଟ କରିଛନ୍ତି। ଗତ ସେପ୍ଟେମ୍ବର ୩୦ ତାରିଖରେ ନିର୍ବାଚନ କମିସନର ବିହାରର ଚୂଡ଼ାନ୍ତ ଏସ୍‌ଆଇଆର୍‌ ତାଲିକା ପ୍ରକାଶ କରିଥିଲେ। ଏସ୍‌ଆଇଆର୍‌ ପୂର୍ବରୁ ବିହାରରେ ମୋଟ ଭୋଟର ସଂଖ୍ୟା ୭.୮୯ କୋଟି ଥିବାବେଳେ ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ଭୋଟରଙ୍କ ସଂଖ୍ୟା ୭.୪୨ କୋଟିକୁ କମିଯାଇଥିଲା। ଭୋଟରଙ୍କ ସଂଖ୍ୟାରେ ପାଖାପାଖି ୪୭ ଲକ୍ଷ ହ୍ରାସ ଘଟିଥିଲା।