ନୂଆଦିଲ୍ଲୀ: ସାରା ଭାରତରେ ଭୋଟର ତାଲିକାର ସ୍ୱତନ୍ତ୍ର  ସଂଶୋଧନ (ଏସ୍‌ଆଇଆର) ପ୍ରକ୍ରିୟା ଅକ୍ଟୋବରରୁ ଆରମ୍ଭ ହୋଇପାରେ ବୋଲି ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି। ଏ ବାବଦ ପ୍ରସ୍ତୁତି ଉପରେ ଆଲୋଚନା କରିବା ନିମନ୍ତେ ନିର୍ବାଚନ ଆୟୋଗ ରାଜ୍ୟ ଅଧିକାରୀମାନଙ୍କ ସହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍‌ଆଇଆର୍‌ କାର୍ଯ୍ୟକାରୀ କରିବାରେ ରାଜ୍ୟର ଅଭିଜ୍ଞତା ବାଣ୍ଟିଛନ୍ତି। ଫେବ୍ରୁଆରିରେ ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିସନର ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ସିଇଓଙ୍କର ଏହା ହେଉଛି ତୃତୀୟ ବୈଠକ। ସର୍ବଭାରତୀୟ ଏସ୍‌ଆଇଆର୍‌ର ପ୍ରସ୍ତୁତି ଉପରେ ଆଜି ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଅଧିକାରୀମାନେ ବିଭିନ୍ନ ରାଜ୍ୟ ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ବିହାର ପରେ ସାରା ଦେଶରେ ଏସ୍‌ଆଇଆର୍‌ କାର୍ଯ୍ୟକାରୀ ହେବ ବୋଲି ଆୟୋଗ ନିଶ୍ଚିତ କରିଥିବାରୁ  ଅକ୍ଟୋବର ସୁଦ୍ଧା ଏହା ଆରମ୍ଭ କରିବାକୁ ତତ୍ପରତା ପ୍ରକାଶ ପାଇଛି।

Advertisment

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ବିଚାରବିମର୍ଶ
ଅକ୍ଟୋବରରୁ ଆରମ୍ଭ ହୋଇପାରେ ପ୍ରକ୍ରିୟା

୨୦୨୬ରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଭାଗରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସ୍ବତନ୍ତ୍ର ସଂଶୋଧନର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ବିଦେଶୀ ବେଆଇନ ପ୍ରବାସୀମାନଙ୍କୁ ସେମାନଙ୍କର ଜନ୍ମସ୍ଥାନ ଯାଞ୍ଚ କରି ତାଲିକାରୁ ବାଦ୍ ଦେବା। ବିଭିନ୍ନ ରାଜ୍ୟରେ ବାଂଲାଦେଶ ଓ ମିଆଁମାର ସମେତ ବେଆଇନ ବିଦେଶୀ ପ୍ରବାସୀଙ୍କ ବିରୋଧରେ କଟକଣା ଜାରି ରହିଥିବା ବେଳେ ଏହି ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ। ନିର୍ବାଚନ ଅଧିକାରୀମାନେ ଏକ ତ୍ରୁଟିମୁକ୍ତ ଭୋଟର ତାଲିକା ନିଶ୍ଚିତ କରିବାକୁ ଘରକୁ ଘର ବୁଲି ଯାଞ୍ଚ କରିବେ। ବିଜେପିକୁ ସାହାଯ୍ୟ କରିବା ପାଇଁ ନିର୍ବାଚନ କମିସନ ଭୋଟରଙ୍କ ତଥ୍ୟରେ ଜାଲିଆତି କରିଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିବା ଭିତରେ ବେଆଇନ ପ୍ରବାସୀମାନଙ୍କୁ ଭୋଟର ତାଲିକାରୁ ହଟାଇବା ପାଇଁ ନିର୍ବାଚନ ଆୟୋଗ ଏହି ସଂଶୋଧନ ପଦକ୍ଷେପ ନେଇଛି। ତେବେ କୌଣସି ଯୋଗ୍ୟ ନାଗରିକ ଯେପରି ବାଦ୍ ନ ପଡ଼ିବେ ତାହା ସୁନିଶ୍ଚିତ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ବାଚନ କମିସନଙ୍କୁ କହିଛନ୍ତି।