ସିସୋଦିଆଙ୍କ ସାଂଘାତିକ ଅଭିଯୋଗ: ବିଜେପିରେ ମିଶିଲେ ସବୁ ମାମଲା ବନ୍ଦ ହେବ

ବିଜେପିର ଖଣ୍ଡନ, ସିସୋଦିଆଙ୍କୁ ଭାରତ ରତ୍ନ ମିଳିବା ଉଚିତ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିଜେପି ତାଙ୍କୁ ଏକ ଅଫର୍‌‌ ଦେଇଥିଲା। ଯଦି ସେ ଆପ୍‌ରେ ବିଭାଜନ କରି ବିଜେପିରେ ଯୋଗ ଦେବେ ତେବେ ତାଙ୍କ ବିରୋଧରେ ଥିବା ସମସ୍ତ ସିବିଆଇ ଏବଂ ଇଡି ମାମଲା ବନ୍ଦ ହୋଇଯିବ। ଟ୍ବିଟ୍‌ କରି ସିସୋଦିଆ କହିଛନ୍ତି, ତାଙ୍କ ବିରୋଧରେ ଥିବା ସମସ୍ତ ମାମଲା ମିଛ ଏବଂ ସେ କେବେ ବି ମୁଣ୍ଡ ନୁଆଁଇବେନି। ବିଜେପି ଯାହା କରୁଛି କରୁ। କିନ୍ତୁ ବିଜେପିକୁ ମୋ ଜବାବ ହେଉଛି – ମୁଁ ମହାରଣା ପ୍ରତାପଙ୍କ ବଂଶଜ। ମୁଁ ଜଣେ ରାଜପୁତ। ମୁଣ୍ଡକାଟ ପାଇଁ ପ୍ରସ୍ତୁତ ଅଛି କିନ୍ତୁ ଷଡ଼୍‌ଯନ୍ତ୍ରକାରୀ ଏବଂ ଦୁର୍ନୀତିଗ୍ରସ୍ତଙ୍କ ନିକଟରେ ମୁଣ୍ଡ ନୁଆଁଇବିନି। ସିସୋଦିଆ କହିଛନ୍ତି, କେଜ୍ରିୱାଲ ତାଙ୍କ ରାଜନୈତିକ ଗୁରୁ ଏବଂ ସେ କେବେ ବି କେଜ୍ରିୱାଲଙ୍କୁ ଧୋକ୍କା ଦେବେନି। ବିଜେପି ମତେ ମୁଖ୍ୟମନ୍ତ୍ରୀ କରିବାପାଇଁ ଅଫର୍‌ ଦେଇଥିଲା। କିନ୍ତୁ ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ହେବାପାଇଁ ଆସିନି। ମୋର ଏକମାତ୍ର ସ୍ବପ୍ନ ହେଉଛି ଦେଶର ପ୍ରତ୍ୟେକଟି ଶିଶୁ ଉତ୍ତମ ଶିକ୍ଷା ପାଇବେ। ଏହାପରେ ଭାରତ ବିଶ୍ବରେ ୧ ନମ୍ବର ରାଷ୍ଟ୍ର ହୋଇପାରିବ। ସାରା ଦେଶରେ ଏହି କାମ କେବଳ କେଜ୍ରିୱାଲ୍‌ ହିଁ ଏକା କରାଇପାରିବେ ବୋଲି ସିସୋଦିଆ କହିଛନ୍ତି।

ତେବେ ସିସୋଦିଆଙ୍କର ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, କେଜ୍ରିୱାଲ ଏବଂ ସିସୋଦିଆଙ୍କ ନିକଟରେ ଅବକାରୀ ନୀତି ପ୍ରସଙ୍ଗରେ କରାଯାଇଥିବା ପ୍ରଶ୍ନର କୌଣସି ଉତ୍ତର ନାହିଁ। ଯଦି କେଜ୍ରିୱାଲ ସଚ୍ଚୋଟ ତେବେ ସେ ଲୋକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ। ସିସୋଦିଆ ବିଜେପି ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ ବୋଲି ଭାଟିଆ ଦୃ‌‌ଢ଼ୋକ୍ତି ବାଢ଼ିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜିଠାରୁ ୨ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଗୋଟିଏ ମାସରେ ପଞ୍ଚମ ଥର ପାଇଁ ସେ ଗୁଜରାଟ ଗସ୍ତ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ କେଜ୍ରିୱାଲଙ୍କ ସହ ଯାଇଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆ ଏବେ ସିବିଆଇ ସ୍କାନରରେ ଥିବାବେଳେ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟା‌ର୍ଗେଟ୍‌ କରିବା ବନ୍ଦ କରିନାହାନ୍ତି। କେଜ୍ରିୱାଲ ଗୁଜରାଟରେ ବିଜେପି ଉପରେ ବର୍ଷିଛନ୍ତି। ଆପ୍‌ ନେତାଙ୍କୁ ବିଜେପି ନିର୍ଯାତନା ଦେଉଛି ବୋଲି କେଜ୍ରିୱାଲ କହିଛନ୍ତି। ଏବେ ଦେଶରେ ଯାହା ଘଟୁଛି ତାକୁ ନେଇ ସମସ୍ତେ ଅସନ୍ତୁଷ୍ଟ। କେନ୍ଦ୍ର ସରକାର ବିରୋଧୀଙ୍କ ଉପରେ ଆକ୍ରମଣ ପାଇଁ ଲୋକଙ୍କ ସମସ୍ୟା ଭୁଲି ଯାଉଛନ୍ତି। ଦିଲ୍ଲୀ ସରକାରୀ ସ୍କୁଲରେ ସଂସ୍କାର ଆଣିଥିବାରୁ ସିସୋଦିଆଙ୍କୁ ‘ଭାରତ ରତ୍ନ’ ମିଳିବା ଉଚିତ। କିନ୍ତୁ ଏହା ନ‌କରି କେନ୍ଦ୍ର କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ସିସୋଦିଆଙ୍କୁ ନିର୍ଯାତନା ଦେଉଛନ୍ତି। ସେ କହିଛନ୍ତି, ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥା ତାଙ୍କୁ ହସ୍ତାନ୍ତର କରାଯିବା ଉଚିତ୍‌। କିନ୍ତୁ ଏହା ନକରି ସେମାନେ ତାଙ୍କ ଉପରେ ସିବିଆଇ ଚଢ଼ଉ କରୁଛନ୍ତି। କେଜ୍ରିୱାଲ କହିଛନ୍ତି, ମନୀଷ ସିସୋଦିଆ ଗିରଫ ହୋଇପାରନ୍ତି। ମୁଁ ମଧ୍ୟ ଗିରଫ ହୋଇପାରେ। ଏସବୁ ଆଗାମୀ ଗୁଜରାଟ ନିର୍ବାଚନ ପାଇଁ ହେଉଛି। କିନ୍ତୁ ସିସୋଦିଆଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଦ୍ବାରା କେଜ୍ରିୱାଲ ଏବଂ ତାଙ୍କ ଦଳ ପ୍ରତି ଲୋକଙ୍କ ସମର୍ଥନ ଏବଂ ଅନୁକମ୍ପା ‌ଭୋ‌ଟ୍‌ ବଢ଼ିବ ବୋଲି ଦଳୀୟ ସୂତ୍ରରୁ ଦାବି କରାଯାଇଛି। କେଜ୍ରିୱାଲ ଆଜି ଗୁଜରାଟ ବାସିନ୍ଦାଙ୍କୁ ମାଗଣା ସ୍ବାସ୍ଥ୍ୟସେବା ପ୍ରତିଶ୍ରୁତି ଦେଇଛନ୍ତି।

ଅଡିଓ ରେକର୍ଡିଂ ରହିଛି: ଆପ୍‌ ନେତା
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ। ବିଜେପି ସିସୋଦିଆଙ୍କୁ ଯେଉଁ ଅଫର୍‌ ଦେଇଛି ତା’ର ଏକ ଅଡିଓ ରେକର୍ଡିଂ ସିସୋଦିଆଙ୍କ ପାଖରେ ରହିଛି। ଆପ୍‌ର ଜଣେ ନେତା ଏହା କହିଛନ୍ତି। ସେହି ନେତାଙ୍କ କହିବାନୁଯାୟୀ, ବର୍ତ୍ତମାନ ସମୟରେ ଆମେ ଏହି ରେକର୍ଡିଂ ଜାରି କରିବୁନି। ଆବଶ୍ୟକ ପଡ଼ିଲେ ଠିକ୍‌ ସମୟରେ ଜାରି ହେବ।

ସମ୍ବନ୍ଧିତ ଖବର