ନୂଆ ମନ୍ତ୍ରୀ ଆତିଶୀ ଓ ସୌରଭଙ୍କୁ ମିଳିଲା ସିସୋଦିଆ ଓ ଜୈନଙ୍କ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିବା ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ୍‌ଙ୍କ ସରକାରୀ ବଙ୍ଗଳା ସମ୍ପ୍ରତି ନବ ନିଯୁକ୍ତ ମନ୍ତ୍ରୀ ଆତିଶୀ ଓ ସୌରଭ ଭରଦ୍ବାଜଙ୍କୁ ମିଳିଥିବା କଥା ପୂର୍ତ୍ତ ବିଭାଗ ଚିଠିରୁ ଜଣାପଡ଼ିଛି।

ମାର୍ଚ ୧୪ ତାରିଖ ଦିନ ପୂର୍ତ୍ତ ବିଭାଗ ଜାରି କରିଥିବା ପତ୍ରାନୁସାରେ, ମାର୍ଚ ୨୧ ତାରିଖ କିଂବା ତା’ ପୂର୍ବରୁ ସରକାରୀ ବଙ୍ଗଳା ଖାଲି କରିବା ଲାଗି ସିସୋଦିଆ ଏବଂ ଜୈନଙ୍କ ପରିବାରବର୍ଗଙ୍କୁ କୁହାଯାଇଛି।

ସେହିପରି, ବଙ୍ଗଳା ଅଧିଗ୍ରହଣ କରିଥିବା କଥା ଚିଠି ଜାରି ହେବାର ୮ ଦିନ ମଧ୍ୟରେ ଜଣାଇବାକୁ ଆତିଶୀ ଓ ଭରଦ୍ବାଜଙ୍କୁ ମଧ୍ୟ କୁହାଯାଇଛି।

ସିସୋଦିଆଙ୍କ ବଙ୍ଗଳା ଖାଲି କରାଇବା ଏତେ ଜରୁରୀ ହୋଇ ପଡ଼ିଲା କାହିଁକି ବୋଲି ‘ବିଜେପି’ ପଚାରିଛି। ଦିଲ୍ଲୀ ବିଜେପି ମିଡିଆ ସେଲ୍‌ର ମୁଖ୍ୟ ହରିଶ ଖୁରାନା ପଚାରିଛନ୍ତି: ସିସୋଦିଆଙ୍କଠାରୁ ନିସ୍ତାର ପାଇବାକୁ କେଜ୍ରିୱାଲ୍‌ ଏଡ଼େ ବ୍ୟଗ୍ର କାହିଁକି? ସିସୋଦିଆଙ୍କ ଗିରଫଦାରି ପରେ ତାଙ୍କ ପରିବାରର ଦେଖାଶୁଣା କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି କଥା କ’ଣ ହେଲା?

Image Courtesy of Times of India

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଆପ୍‌’ କହିଛି, ପଦବୀରୁ ଇସ୍ତଫା ଦେବା ପରେ ମନ୍ତ୍ରୀ ସରକାରୀ ବାସଭବନ ଛାଡ଼ିବାକୁ ବାଧ୍ୟ ବୋଲି ଆଇନରେ ଉଲ୍ଲେଖ ଅଛି। ତେଣୁ, ଆଇନ ଅନୁସାରେ ଚିଠି ଜାରି କରାଯାଇଛି।

ସୂଚନାଯୋଗ୍ୟ, ଗିରଫ ହୋଇ ହାଜତକୁ ଯିବା ପରେ ଶିକ୍ଷାମନ୍ତ୍ରୀ ପଦରୁ ମନୀଷ ସିସୋଦିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ପଦବୀରୁ ସତ୍ୟେନ୍ଦ୍ର ଜୈନ୍‌ ଇସ୍ତଫା ଦେବାରୁ ତାଙ୍କ ସ୍ଥାନରେ ଯଥାକ୍ରମେ ଆତିଶୀ ଓ ସୌରଭ ଭରଦ୍ବାଜଙ୍କୁ ଉପରୋକ୍ତ ପଦବୀରେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର