ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ରାତିରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଆଜି ଦିଲ୍ଳୀର ରୋଜ୍‌ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ସିସୋଦିଆ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି ଏବଂ କୌଣସି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଉନାହାନ୍ତି। ଅବକାରୀ ନୀତିରେ ହୋଇଥିବା ୬ଟି ବିବାଦୀୟ ପ୍ରାବଧାନକୁ ବି ସେ ଠିକ୍‌ରେ ବର୍ଣ୍ଣନା କରିବାରେ ବିଫଳ ହୋଇଛନ୍ତି। ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର ହୋଇଛି। ଏସବୁ କାରଣ ପାଇଁ ସିବିଆଇ ସିସୋଦିଆଙ୍କୁ ଜେରା ଲାଗି ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବା ପରେ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ସ୍ବତନ୍ତ୍ର ବିଚାରପତି ଏମ୍‌କେ ନାଗପାଲ ଏହି ଅନୁମତି ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ସିସୋଦିଆ ସିବିଆଇ ହାଜ‌ତରେ ରହିବେ। କୋର୍ଟଙ୍କ ଅନୁମତି ପାଇବାପରେ ସିସୋଦିଆଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି।

Advertisment

ସିସୋଦିଆଙ୍କ ଗିରଫକୁ ବି‌‌ରୋଧ କରି ଆଜି ଆପ୍‌ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କରିଛି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଆଜି ଆପ୍‌ ନେତାମାନେ ସିସୋଦିଆଙ୍କ ଗିରଫକୁ ବିରୋଧ କରି ଆନ୍ଦୋଳନ କରିଥିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ଇତି ମଧ୍ୟରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ରାଜନୈତିକ ଚାପ ଯୋଗୁ ତାଙ୍କ ଉପମୁଖ୍ୟଙ୍କୁ ଗିରଫ କରାଯାଇଛି। ଅଧିକାଂଶ ସିବିଆଇ ଅଧିକାରୀ ସିସୋଦିଆଙ୍କ ଗିରଫକୁ ବିରୋଧ କରିଥିବା ସେ ଦାବି କରିଛନ୍ତି। ସିସୋଦିଆଙ୍କ ପ୍ରତି ସମସ୍ତ ଅଧିକାରୀଙ୍କର ଯଥେଷ୍ଟ ସମ୍ମାନ ରହିଛି ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ମଧ୍ୟ ନାହିଁ ବୋଲି କେଜ୍ରିୱାଲ ଏକ ଟ୍ବିଟ୍‌ କରି କହିଛନ୍ତି। ତେବେ ସିସୋଦିଆ ସିବିଆଇ ରିମାଣ୍ଡରେ ଯିବାପରେ ବିଜେପି ଏହାର ଜବାବ ରଖି କହିଛି ଯେ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ଆଇନଗତ ଉପାୟରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆପ୍‌ର କୋର୍ଟ କିମ୍ବା ଆଇନ କାହା ଉପରେ ବିଶ୍ବାସ ନାହିଁ।

ସିବିଆଇ କ’ଣ ପଚାରିଲା?
ନୂଆଦିଲ୍ଲୀ: ରବିବାର ସିବିଆଇ ମୁଖ୍ୟାଳୟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ୮ ଘଣ୍ଟାର ମାରାଥନ ଜେରା କରାଯିବା ପରେ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ଓ ତାକୁ କାର୍ଯ୍ୟକାରୀ କରିବାର ମୂଳ ସୂତ୍ରଧର ଥିଲେ ସିସୋଦିଆ। ତେବେ ସିସୋଦିଆଙ୍କୁ ପ୍ରକୃତରେ ସିବିଆଇ କ’ଣ ପ୍ରଶ୍ନ ପଚାରିଥିଲା, ତା’ର ଏକ ସଂକ୍ଷିପ୍ତ ବିବରଣୀ ଏଠାରେ ପ୍ରଦାନ କରାଯାଇଛି।
 ଆପଣ ଡ୍ୟାନିକ୍ସ ଅଫିସର ସି ଅରବିନ୍ଦଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଡାକିଥିଲେ କି ଓ ତାଙ୍କୁ ‘ଚିଠା ଜିଓଏମ୍’ ହସ୍ତାନ୍ତର କରିଥିଲେ କି?
 ଘରୋଇ ସଂସ୍ଥାକୁ ପାଇକାରୀ ବ୍ୟବସାୟ ଦେବା ପାଇଁ ଜିଓଏମ୍‌ (ଗ୍ରୁପ୍ ଅଫ୍ ମିନି‌ଷ୍ଟର୍ସ) ବୈଠକରେ କିଛି ଆଲୋଚନା ହୋଇଥିଲା। କି?
 ଘରୋଇ ସଂସ୍ଥାଗୁଡ଼ିକ ପାଇଁ ୧୨ ପ୍ରତିଶତ ମାର୍ଜିନ ରହିବ ବୋଲି ବୈଠକରେ ଆଲୋଚନା ହୋଇଥିଲା କି?
 ଉକ୍ତ ୧୨ ପ୍ରତିଶତ ମାର୍ଜିନରୁ ଅଭିଯୋଗ ହେଉଥିବା ୬ ପ୍ରତିଶତ କିକ୍‌ବ୍ୟାକ୍ କେଉଁଠି ଖର୍ଚ୍ଚ କରାଯାଇଛି? କିକ୍‌ବ୍ୟାକ୍ ଆକାରରେ ମୋଟ କେତେ ଟଙ୍କା ଆଦାୟ ହୋଇଛି?
 ବ୍ୟବସାୟୀ ଅମିତ ଆରୋଡ଼ା, ଦିନେଶ ଆରୋଡ଼ା ଓ ଅର୍ଜୁନ ପାଣ୍ଡେଙ୍କ ସହ ଆପଣଙ୍କ ସମ୍ପର୍କ କ’ଣ?
 ଅବକାରୀ ନୀତି ପ୍ରଣୟନ ଲାଗି ଅବକାରୀ କମିସନର ଓ ଅନ୍ୟ ଦୁଇଜଣ ଅବକାରୀ ଅଧିକାରୀଙ୍କ ସହ କ’ଣ କଥାବାର୍ତ୍ତା ହୋଇଥିଲା?
 ଆପଣ ଏକାଧିକ ଫୋନ୍ ବ୍ୟବହାର କରନ୍ତି କି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ଅନ୍ୟ ଲୋକଙ୍କ ନାମରେ ରହିଛି?
 ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଅନୁମୋଦନ ନିଆଯାଇଥିଲା କି?