ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇ ତିହାର ଜେଲ୍ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ। ସିସୋଦିଆଙ୍କୁ ୭ ଦିନ ରିମାଣ୍ଡରେ ନେବାପାଇଁ ଦିଲ୍ଲୀ ରୋଜ୍ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି ଏମ୍କେ ନାଗପାଲ ଇଡିକୁ ଅନୁମତି ଦେଇଛନ୍ତି। ଇଡି ସିସୋଦିଆଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଚାହିଥିଲା। କିନ୍ତୁ କୋର୍ଟ ୭ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି। ଇଡି ଆଜି କୋର୍ଟରେ ଅଭିଯୋଗ କରିଛି ଯେ ସିସୋଦିଆ ଦୁର୍ନୀତି ପ୍ରସଙ୍ଗରେ ମିଥ୍ୟା ବିବୃତି ରଖୁଛନ୍ତି। ତଦନ୍ତର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ହେଉଛି ସିସୋଦିଆଙ୍କ ଫୋନ୍। ତେବେ ପ୍ରମାଣ ନଷ୍ଟ ପାଇଁ ସିସୋଦିଆ ତାଙ୍କ ଫୋନ୍ ନଷ୍ଟ କରିଦେଇଥିବା ଇଡି ଦାବି କରିଛି। କିନ୍ତୁ ସିସୋଦିଆଙ୍କ ଓକିଲ ଇଡିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଅନ୍ୟପକ୍ଷେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଆଜି ସ୍ଥଗିତ ରହିଛି। ଆସନ୍ତା ୨୧ ତାରିଖରେ ଏହାର ଶୁଣାଣି ହେବ। ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା। ଏହାପରେ ଗତକାଲି ଇଡି ସିସୋଦିଆଙ୍କୁ ଗିରଫ କରିଛି। ଆଜି କୋର୍ଟରେ ଶୁଣାଣି ଚାଲିଥିବାବେଳେ ଆପ୍ କର୍ମୀମାନେ କୋର୍ଟ ପରିସର ବାହାରେ ଆନ୍ଦୋଳନ କରିଥିଲେ ଏବଂ ମନୀଷ ସିସୋଦିଆଙ୍କ ସମର୍ଥନରେ ସ୍ଲୋଗାନ୍ ଦେଇଥିଲେ। ଅନ୍ୟପକ୍ଷେ ବିଜେପି କର୍ମୀମାନେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଆନ୍ଦୋଳନ କରିଛନ୍ତି।