ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ଚଢ଼ଉ କରିବାର ଦିନକ ପରେ ସିସୋଦିଆ ଆଜି କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ନିଶାଣ କରିଛନ୍ତି। କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛନ୍ତି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସିସୋଦିଆ କହିଛନ୍ତି, ସିବିଆଇ ଅଧିକାରୀଙ୍କୁ ‘ହାଇକମାଣ୍ଡ୍’ଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବାପରେ ସେମାନେ ତାଙ୍କ ଘରେ ଚଢ଼ଉ କରିଥିଲେ। ତେବେ ଏହା ଅବକାରୀ ନୀତି ସହ ଜଡ଼ିତ ନୁହେଁ।
ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କେଜ୍ରିୱାଲ୍ଙ୍କ କାର୍ଯ୍ୟକୁ ନେଇ ବିଶ୍ବବ୍ୟାପୀ ପ୍ରଶଂସା ହେଉଥିରୁ ଏଥିରେ ଲଗାମ ଦେବାପାଇଁ ସିବିଆଇ ଚଢ଼ଉ କେବଳ ଏକ ଚାଲ୍ ବୋଲି ସେ କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ସେମାନେ (ବିଜେପି)କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୁଖ୍ୟ ଚ୍ୟାଲେଂଜର ବୋଲି ଭାବୁଛନ୍ତି। ସିସୋଦିଆ କହିଛନ୍ତି, ୨୦୨୪ ନିର୍ବାଚନରେ ଆପ୍ ଏବଂ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ପଂଜାବରେ ଆପ୍ର ବିପୁଳ ବିଜୟ ହେବା ଏବଂ କେଜ୍ରିୱାଲ୍ ଆଗକୁ ବଢ଼ୁଥିବାରୁ କେନ୍ଦ୍ର ସରକାର ଏଥିପାଇଁ ଖୁବ୍ ଚିନ୍ତିତ ବୋଲି ସେ କହିଛନ୍ତି। ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସିସୋଦିଆ ଦୃଢ଼ୋକ୍ତି ବାଢ଼ିଛନ୍ତି। ଏନେଇ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସିସୋଦିଆ କହିଛନ୍ତି, ଆସନ୍ତା କିଛି ଦିନ ମଧ୍ୟରେ ସେ ଗିରଫ ହେବେ। ଏହାସତ୍ତ୍ବେ ତାଙ୍କ ଦଳ ଆଦୌ ଭଲ କାମରୁ ବିରତ ହେବନାହିଁ। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଅବକାରୀ ଦୁର୍ନୀତିକୁ ନେଇ ଚିନ୍ତିତ ନୁହନ୍ତି, କେନ୍ଦ୍ର କେବଳ କେଜ୍ରିୱାଲ୍ଙ୍କୁ ନେଇ ଚିନ୍ତିତ ବୋଲି ସିସୋଦିଆ କହିଛନ୍ତି। ୨୦୨୪ ଲଢ଼େଇ ପାଇଁ ଦେଶ ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି।
୧୨ ଅଫିସର୍ଙ୍କୁ ବଦଳି କଲେ ଦିଲ୍ଲୀ ଉପରାଜ୍ୟପାଳ, ୫ ଅଭିଯୁକ୍ତଙ୍କୁ ଜେରା କରୁଛି ସିବିଆଇ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଆଜି ସିବିଆଇ (କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା) ସମନ କରିଛି। ଏହି ମାମଲାରେ ସିବିଆଇ ଆଜି ୫ ଜଣଙ୍କୁ ଜେରା କରିଛି। ଗତକାଲି ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ୩୧ଟି ସ୍ଥାନରେ ହୋଇଥିବା ଚଢ଼ଉ ସମୟରେ ଯେଉଁ କାଗଜପତ୍ର ଜବତ ହୋଇଛି ତା’ର ପରୀକ୍ଷା ନିରୀକ୍ଷା କରିବାପାଇଁ ସିବିଆଇ ଜେରା ଆରମ୍ଭ କରିଛି। ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଥମେ କାଗଜପତ୍ର, ଇଲେକଟ୍ରୋନିକ ଗେଜେଟ୍ ଏବଂ ବ୍ୟାଙ୍କ୍ କାରବାର ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ଅନ୍ୟ ଅଭିଯୁକ୍ତଙ୍କୁ ସମନ କରାଯିବ। ଗତକାଲି ସ୍ବତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ସିବିଆଇ ଏତଲାକୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସହ ମଧ୍ୟ ସେୟାର କରାଯାଇଛି। ଅନ୍ୟପକ୍ଷେ ସିସୋଦିଆଙ୍କ ବାସଭବନରେ ଚଢ଼ଉ ପରଦିନ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଆଜି ୧୨ ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରିଛନ୍ତି। ସିବିଆଇ ଚଢ଼ଉର ମାତ୍ର କିଛି ଘଣ୍ଟା ପରେ ଏହି ଅଫିସରଙ୍କୁ ଅଦଳ ବଦଳ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/manish-sisodia.jpeg)