ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ ହୋଇଯାଇଛି। ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସ‌ିସୋଦିଆ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ପତ୍ନୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସିସୋଦିଆ ୬ ସପ୍ତାହର ଅନ୍ତରୀଣ ଜାମିନ ମାଗିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ଜାମିନ ଦେଇନାହାନ୍ତି। ସିସୋଦିଆଙ୍କ ଜାମିନ ଆବେଦନକୁ ବିରୋଧ କରି ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି ଯେ ଅବକାରୀ ଦୁର୍ନୀତି ମାମଲାର କାଗଜପତ୍ର ଏବେ ବି ହେରଫେର ହୋଇଛି। କୋର୍ଟ ହୃଦ୍‌ବୋଧ କରିଥିଲେ ଯେ ସିସୋଦିଆଙ୍କ ବିରୋଧରେ ଥିବା ଅିଭଯୋଗ ଅତି ସାଂଘାତିକ।

ଜାମିନରେ ବାହାରକୁ ବାହାରିଲେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି। ତେଣୁ କୋର୍ଟ ତାଙ୍କୁ ଜାମିନ ଦେଇନାହାନ୍ତି। ତେବେ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଥରେ ଭେଟି ପାରିବେ ବୋଲି କୋର୍ଟ କହିଛନ୍ତି। ଗତ ଜୁନ୍‌ ୩ ତାରିଖରେ ସିସୋଦିଆ ଦିନିକିଆ ଜାମିନରେ ଜେଲ୍‌ରୁ ବାହାରିଥିଲେ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାପାଇଁ ବାସଭବନରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ପତ୍ନୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ସିସୋଦିଆଙ୍କର ତାଙ୍କ ପତ୍ନୀଙ୍କ ସହ ଭେଟ ‌ହୋଇପାରିଲାନି।

ସମ୍ବନ୍ଧିତ ଖବର