ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରେ ଶକ୍ତ ଝଟ୍‌କା ଲାଗିଛି। ସିସୋଦିଆ ତାଙ୍କ ଗିରଫକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ଜାମିନ ପାଇଁ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ ନରସିଂହଙ୍କ ଖଣ୍ଡପୀଠ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଏହି ମାମଲାରେ ହାଇକୋର୍ଟକୁ ଯିବା ଉଚିତ। ଆମର ଦ୍ବାର ଖୋଲା ଥିଲେ ମଧ୍ୟ ବର୍ତ୍ତମାନ ସ୍ଥିତିରେ ଏହାଉପରେ ଶୁଣାଣି ପାଇଁ ପ୍ରସ୍ତୁତ ନାହୁଁ।

Advertisment

ଏହା ଅତି ଖରାପ ଉଦାହରଣ ସୃଷ୍ଟି କରିବ। କେବଳ ଦିଲ୍ଲୀରେ ଘଟଣା ଘଟିଛି ବୋଲି ଆପଣ ଏଠାକୁ ଆସିପାରିବେନାହିଁ। କୋର୍ଟ କହିଛନ୍ତି, ଆପ୍‌ ନେତାଙ୍କ ପାଖରେ ବିକଳ୍ପ ଅଛି। ଆପ୍‌ ନେତା ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରନ୍ତୁ। ଶୁଣାଣି ସମୟ‌‌‌ରେ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ସିସୋଦିଆଙ୍କ ପାଇଁ କୋର୍ଟରେ ଉପସ୍ଥିତ ଥିଲେ। ଅବକାରୀ ଦୁର୍ନୀତି ମାମଲାରେ ଅଗଷ୍ଟ ୨୦୨୨ରେ ଏତଲା ରୁଜୁ ହୋଇଥିଲା ଏବଂ ସିସୋଦିଆ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥିଲେ। ସିସୋଦିଆଙ୍କ ଗିରଫ ‌ବେଆଇନ ବୋଲି ସିଂଘଭି କରିଥି‌‌ଲେ। ସିସୋଦିଆଙ୍କ ନାମ ସିବିଆଇ ଚାର୍ଜସିଟ୍‌ରେ ନଥିବାରୁ ତାଙ୍କ ଗିରଫ ‌ବେଆଇନ ବୋଲି ସେ କହିଥିଲେ।