ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଶନିବାର ଦିଲ୍ଲୀର ରସ ଆଭୋନ୍ୟୁ କୋର୍ଟରେ ହୋଇଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ସିସୋଦିଆଙ୍କ ସିବିଆଇ ହାଜତ ମିଆଦକୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ମାର୍ଚ୍ଚ ୧୦ରେ ହେବ। ଏହି ଶୁଣାଣି ସମୟରେ ସିସୋଦିଆଙ୍କ ପକ୍ଷରୁ କହାଯାଇଥିଲା କି ସିବିଆଇ ପକ୍ଷରୁ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ସମାନ ପ୍ରଶ୍ନ ବାରମ୍ବାର ପଚରାଯାଉଛି। ଏହାପରେ ଅଦାଲତ ସମାନ ପ୍ରଶ୍ନ ବାରମ୍ବାର ନ ପଚାରିବାକୁ ସିବିଆଇକୁ ତାଗିଦ୍ କରିଥିଲେ।

Advertisment

ଏହା ପୂର୍ବରୁ ସିବିଆଇ ମୁଖ୍ୟାଳୟ ବାହାରେ ଆପ୍ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସିବିଆଇ ମୁଖ୍ୟାଳୟ ବାହାରେ ଦିଲ୍ଲୀ ପୋଲିସ, ରାପିଡ୍ ଆକ୍ସନ ଫୋର୍ସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଯବାନଙ୍କୁ ମୁତୟନ କରାଯାଇଛି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ମନୀଷ ସିସୋଦିଆ ପ୍ରଥମେ ଜାମିନ ପାଇଁ ସୁପ୍ରିମକୋର୍ଟକୁ ଯାଇଥିଲେ । କିନ୍ତୁ ପ୍ରଥମେ ନିମ୍ନ ଅଦାଲତକୁ ଯିବାକୁ ସୁପ୍ରିମକୋର୍ଟ କହିବା ପରେ ସେ ଗତକାଲି ରସ ଆଭେନ୍ୟୁ କୋର୍ଟରେ ଆବେଦନ କରିଥିଲେ ।

ଶନିବାରଦିନ ସିବିଆଇ କୋର୍ଟଙ୍କୁ କହିଥିଲା ଯେ ସାକ୍ଷୀଙ୍କ ସାମ୍ନାରେ ସିସୋଦିଆଙ୍କୁ ଜେରା କରିବାକୁ ପଡ଼ିବ। ଦିଲ୍ଲୀ ସରକାରଙ୍କ କିଛି ଅଧିକାରୀଙ୍କୁ ପଚରାଉଚରା କରାଯାଇଛି। ଷଡ଼ଯନ୍ତ୍ରର ତଦନ୍ତ ହେବା ଦରକାର। କିଛି ଡିଜିଟାଲ ପ୍ରମାଣ ଅଛି, ସେମାନଙ୍କୁ ରଖି ପଚରାଉଚରା କରିବାକୁ ପଡିବ । ବିଚାରପତି ସିବିଆଇକୁ କେସ୍ ଡାଏରୀ ମାଗିବା ସହ କେତେ ଘଣ୍ଟା ପଚରାଉଚରା କରିବେ ବୋଲି ପଚାରିଥିଲେ। ସିସୋଦିଆଙ୍କ ଓକିଲ କହିଛନ୍ତି ଯେ ସେ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି କହି ରିମାଣ୍ଡ ପାଇଁ ଆଧାର ହୋଇପାରିବ ନାହିଁ।