ସିଷ୍ଟର୍‌ ଅଭୟା ହତ୍ୟା ମାମଲା: ୨୮ ବର୍ଷ ପରେ ପାଦ୍ରୀ, ନନ୍‌ ଦୋଷୀସାବ୍ୟସ୍ତ

ଥିରୁଅନନ୍ତପୁରମ୍‌ : କେରଳର ବହୁ ଚର୍ଚ୍ଚିତ ସିଷ୍ଟର୍‌ ଅଭୟା ହତ୍ୟା ମାମଲାରେ ଆଜି ଜଣେ ନନ୍‌ ଏବଂ ଜଣେ ପାଦ୍ରୀ ଦୋଷୀସାବ୍ୟସ୍ତ ହୋଇଛନ୍ତି। ୧୯୯୨ ମସିହାର ଏହି ଘଟଣା ଘଟିଥିଲେ ମଧ୍ୟ ମାମଲାର ରାୟ ଆସିବାପାଇଁ ଦୀର୍ଘ ୨୮ ବର୍ଷ ଲାଗିଯାଇଛି। ସିଷ୍ଟର ଅଭୟା ଜଣେ ଯୁକ୍ତ ଦୁଇ ଛାତ୍ରୀ ଥିଲେ। ୧୯୯୨ ମାର୍ଚ୍ଚରେ କୋଟ୍ଟାୟମ ପିୟସ୍‌ ଏକ୍ସ କନଭେଣ୍ଟ୍‌ ସ୍କୁଲ୍‌ର କୂଅରୁ ତାଙ୍କ ମୃତଦେହ ମିଳିଥିଲା। ୨୦୦୯ରେ ସିବିଆଇ କ୍ୟାଥୋଲିକ୍‌ ପ୍ରି‌ଷ୍ଟ୍‌ ଥୋମାସ କଟ୍ଟୁର ଏବଂ ସିଷ୍ଟର୍‌ ସେଫିଙ୍କୁ ଗିରଫ କରିବା ସହ ଚାର୍ଜସିଟ୍‌ ଦାଖଲ କରିଥିଲା। କିନ୍ତୁ ଏହା ପରେ ବି ଚୂଡ଼ାନ୍ତ ରାୟ ଆସିବାପାଇଁ ୧୧ ବର୍ଷ ଲାଗିଯାଇଛି। ଥିରୁଅନନ୍ତପୁରମ୍‌ର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜି ୨ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି।

ଆସନ୍ତାକାଲି ଏହି ମାମଲାରେ ଦଣ୍ଡାଦେଶ ଘୋଷଣା ହେବ। ସିବିଆଇ ଚାର୍ଜସିଟ୍‌ ଅନୁଯାୟୀ ଅଭୟାଙ୍କୁ ଯେଉଁ ଦିନ ହତ୍ୟା କରାଯାଇଥିଲା ସେଦିନ ସେ ପଢ଼ିବାପାଇଁ ଭୋର୍‌ ସମୟରୁ ଉଠିଯାଇଥିଲେ ଏବଂ ମୁହଁ ଧୋଇବାପାଇଁ କିଚେନ୍‌କୁ ଯାଇଥିଲେ। ଏହି ସମୟରେ ସେ ୨ ଜଣ ପାଦ୍ରୀ ଏବଂ ଜଣେ ନନ୍‌ଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲେ। କାଳେ ସେ ଏହି ବିଷୟରେ କାହାକୁ କିଛି କହିଦେବେ ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଥିଲା ଏବଂ ଶବକୁ କୂଅରେ ପକାଇ ଦିଆଯାଇଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର