ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଭାଇ ଭଉଣୀ ହତ୍ୟାର ପ୍ରତିଶୋଧ ନେବା ପାଇଁ ହତ୍ୟାକାରୀକୁ ହାଣି ତାର ମୃତଦେହକୁ ବାଇକରେ ବାନ୍ଧି ରାସ୍ତାରେ ବୁଲିବା ପରେ ଶେଷରେ ନଦୀରେ ଫିଙ୍ଗ ଦେଇଥିଲା। ଏହି ଘଟଣାରେ ସମ୍ପୃକ୍ତ ମୃତ ଭଉଣୀର ଦୁଇ ଭାଇଙ୍କ ସମେତ ତିନିଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଏହି ଘଟଣାଟି ଗିଡ଼ା ଥାନା ଅଞ୍ଚଳର ନୌସଢ଼ ପୁଲିସ ଥାନା ଅଧୀନରେ ଥିବା ପିପରି ଗ୍ରାମରେ ଘଟିଛି। ଏହି ଗ୍ରାମରେ ବସବାସ କରୁଥିବା ୩୫ବର୍ଷର ଉମେଶ ଚୌହ୍ବାନ ଦୀପାବଳି ରାତିରେ ହଠାତ କେଉଁଆଡେ ଉଭେଇ ଯାଇଥିଲେ। ଅନେକ ସମୟ ଧରି ଘରୁ ନଫେରିବାରୁ ଉମେଶଙ୍କୁ ପରିବାରଲୋକ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ତା’ପରଦିନ ସକାଳେ ଗ୍ରାମ ନିକଟରେ ଲାଗିଥିବା ନୂଆ କୋଲନୀର ଚଟଣାରେ କିଛି ରକ୍ତ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାପରେ ଉମେଶଙ୍କ ପରିବାରକୁ ସନ୍ଦେହ ହେବାରୁ ସେମାନେ ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ଯାଞ୍ଚ ଆରମ୍ଭ କରି ଗ୍ରାମର ଦୁଇଭାଇଙ୍କୁ ସନ୍ଦେହ କରି ହେପାଜତକୁ ନେଇଥିଲା। ସେଠାରେ ଦୁଇଭାଇଙ୍କୁ ପୁଲିସ ପଚରାଉଚରା କରିବା ପରେ ସେମାନେ ଯେଉଁ କଥା କହିଥିଲେ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।
ଉମେଶକୁ ହତ୍ୟା କରିଥିବା ଉପେନ୍ଦ୍ର କହିଛନ୍ତି, ‘ମୋ ଭଉଣୀକୁ ଉମେଶ ଏକ ତରଫା ଭଲ ପାଉଥିଲା। କିନ୍ତୁ ମୋ ଭଉଣୀ ତାର ପ୍ରେମ ପ୍ରସ୍ତାବକୁ ଗ୍ରହଣ କରି ନଥିଲା। ଏହି କାରଣରୁ ଉମେଶ ମୋ ଭଉଣୀ ଉପରେ ଏସିଡ଼ ମାଡ଼ କରିଥିଲା। ଏଥିରେ ଭଉଣୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାର ମୃତ୍ୟୁ ହୋଇଯାଇଥିଲା।
ଏହି ଘଟଣାରେ ଉମେଶକୁ ୩ବର୍ଷ ଜେଲ ହୋଇ ଯାଇଥିଲା। ୩ବର୍ଷ ପରେ ଜେଲରୁ ଜାମିନରେ ବାହାରକୁ ଆସିବା ଦିନଠାରୁ ମୁଁ ତାକୁ ହତ୍ୟା କରିବି ବୋଲି ନିଷ୍ପତ୍ତି ନେଇଥିଲି। ତେଣୁ ମୁଁ ମୋର ଆଉ ଜଣେ ଭାଇ ସାହାଯ୍ୟରେ ଉମେଶକୁ ହତ୍ୟା କରିଛି। ତାର ମୃତଦେହକୁ ରାସ୍ତାରେ ବୁଲାଇବା ପରେ ନଦୀରେ ଫିଙ୍ଗି ଦେଇଥିଲି। ଏହି ହତ୍ୟାକାଣ୍ଡ ପରେ ମୋତେ ଶାନ୍ତି ମିଳିଛି। ଆଗକୁ ଆପଣମାନେ ଯାହା ଦଣ୍ଡ ଦେବେ ସବୁଥିରେ ମୁଁ ରାଜି ଅଛି।’