ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶକୁ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ଫୁଃ! ପରାମର୍ଶ ଦେଲେ, ‘ଖରାରେ ବସ, ହବନି କରୋନା’…

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା ପାଇଁ ଓ କରୋନାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସତର୍କତା ତଥା ସଚେତନତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି। କରୋନାକୁ ନେଇ ସାଧାରଣ ଜନତାକୁ ବିଭ୍ରାନ୍ତ ଓ ଗୁଜବ ପ୍ରଚାରକରି ଭୟଭୀତ ନକରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଏ ପରିସ୍ଥିତରେ କେନ୍ଦ୍ର ସରକାରଙ୍କର ଖୋଦ୍‌ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କରୋନାରୁ ରକ୍ଷା ପାଇବା ପାଇଁ ଦେଶର ଜନତାଙ୍କୁ ଏକ ବିଭ୍ରାନ୍ତିକର ତଥା ମନଗଢ଼ା ଉପଦେଶ ଦେବା ଘଟଣାକୁ କେନ୍ଦ୍ରକରି ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି। କାରଣ, କରୋନାକୁ କେନ୍ଦ୍ରକରି ବିନା ବିଜ୍ଞାନ ସମତ୍ତ କୌଣସି ପ୍ରକାର ଉପଦେଶ ଜନତାଙ୍କୁ ନ ଦେବାକୁ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାତିରେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିବା ବେଳେ ଖୋଦ୍‌ ତାଙ୍କ ମନ୍ତ୍ରିମଣ୍ଡଳର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଏହାକୁ ଫୁଃ କରି ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ କରୋନା ଭାଇରସ୍‌ରେ ୧୭୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଏ ପ୍ରକାର ସ୍ଥିତିରେ କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କରୋନା ଭାଇରସ୍‌ (କୋଭିଡ୍‌-୧୯) କବଳରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୧୫ ମିନିଟ ସୂର୍ଯ୍ୟାଲୋକରେ ବସିବା ପାଇଁ ଦେଶର ଜନତାକୁ ପରାମର୍ଶ ଦେଇଛନ୍ତି। ଏପରି କଲେ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଓ ବ୍ୟକ୍ତିକୁ କରୋନା ଭାଇରସ୍‌ ଆକ୍ରାନ୍ତ କରିପାରିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଚୌବେ। ଦିନ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ୍ଣ ୨ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର କିରଣ ପ୍ରଖର ଥାଏ। ଏହି ସମୟରେ ୧୫ ମିନିଟ ଲେଖାଁଏ ଖରାରେ ବସିଲେ ଆଉ କରୋନା ପାଖ ମାଡ଼ିବ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗୋ-ମୂତ୍ର ପାନକଲେ କର୍କଟ ରୋଗ ଭଲ ହୋଇଯିବ ବୋଲି ମଧ୍ୟ ଶ୍ରୀ ଚୌବେ କହିଥିଲେ। ଯାହାକି ଦେଶବ୍ୟାପି ବିତର୍କର କାରଣ ପାଲଟିଥିଲା।

ସମ୍ବନ୍ଧିତ ଖବର