ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଆଜି ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଦ୍ବାରା କରାଯିବ ବୋଲି ଘୋଷଣା କରିଛନ୍ତି। କାହାକୁ ଟାର୍ଗେଟ ନକରି ନିରପେକ୍ଷ ଭାବେ ଏହି ମାମଲାର ତଦନ୍ତ କରାଯିବ ବୋଲି ଫଡ଼ନାଭିସ୍ କହିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଏକ ସପ୍ତାହ ପୂର୍ବରୁ ୨୦୨୦ ଜୁନ୍‌ ୮ରେ ଦିଶା ସାଲିଆନଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ ତଳୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ଏହି ମାମଲାରେ ଜଡ଼ିତ ଥିବା ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ନାର୍କୋ ଟେଷ୍ଟ ଦାବି କରି ବିଜେପି ବିଧାୟକ ନୀତେଶ ରାଣେ ଆଜି ବିଧାନସଭାରେ ଦିଶାଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି।

Advertisment

ରାଣେ କହିଛନ୍ତି ଯେ ଦିଶା ସାଲିଆନଙ୍କ ପ୍ରେମିକ ରୋହନ ରାୟ ହତ୍ୟା ବିଷୟରେ ସବୁକିଛି ଜାଣିଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ସେ ନିଖୋଜ ହୋଇ ଯାଇଥିଲେ। ବିରୋଧୀ ଦଳ ନେତା ଅଜିତ ପାୱାର କହିଛନ୍ତି ଯେ ଏହାକୁ କୌଣସି ରାଜନୈତିକ ଦୃଷ୍ଟିରୁ ଦେଖାଯିବା ଉଚିତ ନୁହେଁ। ସୂଚନାଯୋଗ୍ୟ, ୨୦୨୦ ଜୁନ୍‌ ୮ରେ ବିଲ୍‌ଡିଂର ୧୪ ମହଲାରୁ ଖସିପଡ଼ି ଦିଶା ସାଲିଆନଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ସେ କିପରି ବିଲ୍‌ଡିଂରୁ ଖସି ପଡ଼ିଥିଲେ ତାହା ଏପର୍ଯ୍ୟନ୍ତ ରହସ୍ୟଘେରରେ ରହିଛି। ଏହାର ଏକ ସପ୍ତାହ ପରେ ସୁଶାନ୍ତଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ତାଙ୍କ ବାସଭବନରୁ ମିଳିଥିଲା। ଦିଶା ସାଲିଆନଙ୍କ ମୃତ୍ୟୁର କୌଣସି ପ୍ରମାଣ ମିଳୁ ନାହିଁ କହି ୨୦୨୧ରେ ମୁମ୍ବାଇ ପୁଲିସ ତଦନ୍ତ ବନ୍ଦ କରିଥିଲା।