ମୁମ୍ବାଇରେ ଏନସିବିର ସ୍ବତନ୍ତ୍ର ତଦନ୍ତକାରୀ ଦଳ, ଓ୍ବାଙ୍ଖଡ଼େଙ୍କ ସହାୟତାରେ ଚାଲିବ ତଦନ୍ତ

ମୁମ୍ବାଇ : ଆରୟନ ଖାଁ ମାମଲା ଓ ଅନ୍ୟ ୫ଟି ମାମଲାର ତଦନ୍ତ ପାଇଁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ସଦସ୍ୟମାନେ ମୁମ୍ବାଇରେ ପହଞ୍ଚିଛନ୍ତି । ଏନସିବିର ଡିଡିଜି ଅପରେସନ୍ସ ସଂଜୟ ସିଂଙ୍କ ନେତୃତ୍ବରେ ଦିଲ୍ଲୀରୁ ଆସିଥିବା ଏହି ତଦନ୍ତକାରୀ ଦଳ ମୁମ୍ବାଇରେ ପହଞ୍ଚି ଏନସିବିର ଜୋନାଲ ଅଫିସରେ ପହଞ୍ଚି ତଦନ୍ତଭାର ଗ୍ରହଣ କରିଛନ୍ତି ।

ତଦନ୍ତଭାର ଗ୍ରହଣ କରିବା ପରେ ଏସଆଇଟି ମୁଖ୍ୟ ସଂଜୟ ସିଂ କହିଛନ୍ତି ଯେ ତଦନ୍ତ ବେଳେ ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ସହାୟତା ନିଆଯିବ । ଅନ୍ୟପକ୍ଷରେ ସମୀର ଓ୍ବାଙ୍ଖଡ଼େ କହିଛନ୍ତି ଯେ ସେ ଏସବୁ ମାମଲାର ତଦନ୍ତକାରୀ ଅଫିସର ନଥିଲେ। ଜୋନାଲ ନିର୍ଦ୍ଦେଶକ ଭାରେ ସେ କେବଳ ଏସବୁ ମାମଲାର ତଦାରଖ କରୁଥିଲେ ।

ଗତକାଲି ଏନସିବି ପକ୍ଷରୁ ସମୀର ଓ୍ବାଙ୍ଖଡ଼େଙ୍କୁ ଏହି ମାମଲାରୁ ହଟାଯାଇଥିଲା । ଏହା ସହିତ ମାମଲାର ତଦନ୍ତ ଟିମରେ ଥିବା ମୁମ୍ବାଇ ଅଫିସର ଆଉ ୪ଜଣଙ୍କୁ ବଦଳି କରାଯ଼ାଇଥିଲା ।

ଏବେ ସଂଜୟ ସିଂହଙ୍କ ନେତୃତ୍ୱରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କାଣ୍ଡର ପର୍ଦ୍ଦାଫାଶ କରିବ ଏନସିବି । ସେପଟେ ସମୀର ୱାଙ୍ଖଡେ କହିଛନ୍ତି ତାଙ୍କୁ ଦାୟିତ୍ୱରୁ ହଠାଇ ଦିଆଯାଇ ନାହିଁ, ବରଂ ସେ ନିଜେ ଏ ମାମଲାରୁ ଓହରିବା ପାଇଁ ଆବେଦନ କରିଥିଲେ । ଅନ୍ୟପଟେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆସିଛି ନୂଆ ମୋଡ । ଏନସିପି ବିରୋଧରେ ଠୋସ ପ୍ରମାଣ ଆଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେପି ନେତା ମୋହିତ କମ୍ବୋଜ। ପୂରା ମାମଲାର ମାଷ୍ଟର ମାଇଣ୍ଡ ଏନସିପି ନେତା ସୁନୀଲ ପାଟିଲ ବୋଲି କହିଛନ୍ତି ମୋହିତ ।

ଆରୟନ ଖାନଙ୍କୁ ଗିରଫ କରିବା ପରଠାରୁ ବିବାଦକୁ ଆସିଯାଇଥିଲେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ । ଘଟଣାକୁ ନେଇ ତାଙ୍କ କର୍ମଜୀବନରୁ ଆରମ୍ଭ କରି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାକୁ ଆସିଲା । ଆରୟନ ଖାନଙ୍କୁ ଛାଡିବା ପାଇଁ ସମୀର ୱାଙ୍ଖଡେ ଲାଂଚ ମାଗିଥିବା ଅଭିଯୋଗ ହୋଇଥିଲା । ଆଉ ଏଥିପାଇଁ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ମୁମ୍ବାଇ ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେ । ଏବେ ଦେଖିବାକୁ ବାକି ରହିଲା, ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।

ସମୀରଙ୍କ ବିରୋଧରେ କ୍ଷମତାର ଦୁରୁପୋଯ଼ୋଗ କରି ଅର୍ଥ ଆଦାୟ, ଦୁର୍ନୀତି ଆଦି ଅଭିଯ଼ୋଗ ଆଣିଥିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ନବାବ ମଲ୍ଲିକ । ଏହା ସହିତ ନିଜର ଭୁଲ ଜାତି ପ୍ରମାଣପତ୍ର ଦେଇ ସେ ଚାକିରି କରିଥିବା ମଲ୍ଲିକ ଅଭିଯୋଗ କରିଥିଲେ ।

 

ସମ୍ବନ୍ଧିତ ଖବର