କୋଲକାତା: ପଶ୍ଚିମବଙ୍ଗର ବୀରଭୂମରେ ଟିଏମସି ନେତାଙ୍କ ହତ୍ୟା ପରେ ବଢ଼ୁଛି ହିଂସା। ନେତାଙ୍କୁ ହତ୍ୟା କରାଯିବା ପରେ ଏହାର ପ୍ରତିଶୋଧ ନେବା ପାଇଁ କିଛି ଦୁର୍ବୃତ୍ତ ୫ଟି ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ। ଏହି କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ବୀରଭୂମର ରାମପୁରହାଟରେ ଘଟିଛି। କୁହାଯାଉଛି ଯେ ରାମପୁରହାଟରେ ଟିଏମସି ଉପାଧ୍ୟକ୍ଷଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏଭଳି କାଣ୍ଡ କରିଛନ୍ତି ଦୁର୍ବୃତ୍ତ। ୫ଟି ଘରର କବାଟ ବନ୍ଦ କରି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି।
ଘଟଣା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ଜିଲ୍ଲାପାଳଙ୍କ ସମେତ ବୀରଭୂମର ସମସ୍ତ ବଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ରାମପୁରହାଟରେ ଘଟିଥିବା ହିଂସା ଘଟଣାର ଅନୁସନ୍ଧାନ ପାଇଁ ଏସଆଇଟି ଗଠନ କରାଯାଇଛି।
/sambad/media/post_attachments/78bc8bdb9b6b3bbbc834dd93aefde99b1777d56bf6ebbd3af18f222abbc8bad6.jpg)
ଅନ୍ୟପକ୍ଷରେ ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ରାମପୁରହାଟରେ ଅଗ୍ନିକାଣ୍ଡ ହେତୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି। କିନ୍ତୁ ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହା ଏକ ସ୍ଥାନୀୟ ଗ୍ରାମୀଣ ସଂଘର୍ଷ। ଗୋଟିଏ ଦିନ ପୂର୍ବରୁ ଟିଏମସି ନେତାଙ୍କୁ ହତ୍ୟା କରାଯାଇଥିଲା। ସେ ବହୁତ ଲୋକପ୍ରିୟ ଥିଲେ। ତାଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମଧ୍ୟରେ କ୍ରୋଧ ଥିଲା। ଏଥିପାଇଁ ଏଭଳି ଘଟିଛି।