ତିରୁବନନ୍ତପୁରମ: କେରଳର ୯ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଇସ୍ତଫା ଦେବା ପାଇଁ ରାଜ୍ୟପାଳ ଦେଇଥିବା ଆଦେଶକୁ ନେଇ ରାଜନୀତି ଜୋର ଧରିଛି | ଏହି ଆଦେଶକୁ ବିରୋଧ କରି କୁଳପତିମାନେ କେରଳ ହାଇକୋର୍ଟରେ ପିଟିସନ ମଧ୍ୟ ଦାଏର କରିଛନ୍ତି | ଅନ୍ୟପଟେ ରାଜ୍ୟପାଳଙ୍କ ପଦକ୍ଷେପକୁ ନେଇ ସିପିଆଇ ନେତା ସୀତାରାମ ୟେଚୁରୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଆରଏସଏସ ନେତାମାନଙ୍କୁ କୁଳପତି ପଦରେ ରଖିବାକୁ ରାଜ୍ୟପାଳ ଚାହୁଁଛନ୍ତି | ସୂଚନା ଥାଉ କି ସୋମବାର ୧୧.୩୦ ସୁଦ୍ଧା ଇସ୍ତଫା ଦେବା ପାଇଁ ରବିବାର ଦିନ କେରଳର ରାଜ୍ୟପାଳ ଅରିଫ୍‌ ମହମ୍ମଦ୍‌ ଖାଁ ୯ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଆଦେଶ ଦେଇଥିଲେ।

Advertisment

ଆଉ ଏହାକୁ ନେଇ ସିପିଆଇ ନେତା ସୀତାରାମ ୟେଚୁରୀ କହିଛନ୍ତି ଯେ ତାଙ୍କର ଏପରି ନିର୍ଦ୍ଦେଶ ଦେବାର ଅଧିକାର ନାହିଁ। ଏହା ଅବୈଧ, ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ | ସେ କେରଳର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ ଏବଂ ଧ୍ୱଂସ କରିବାକୁ ଚାହୁଁଛନ୍ତି। ସୀତାରାମ ଆହୁରି ମଧ୍ୟ କହିଛନ୍ତି ଯେ ସେ ସେଠାରେ ଆରଏସଏସ ନେତାମାନଙ୍କୁ ନିଯୁକ୍ତ କରିବାକୁ ଏବଂ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି |

ଯାହା ଦ୍ୱାରା ସେ ଶିକ୍ଷାନୁଷ୍ଠାନରେ ହିନ୍ଦୁତ୍ୱର ଆଦର୍ଶ ପ୍ରଚାର କରିପାରିବେ। ସମ୍ବିଧାନ ରାଜ୍ୟପାଳଙ୍କୁ ଏପରି କୌଣସି ଆଦେଶ ଦେବାକୁ ଅନୁମତି ଦେଇ ନ ଥିବାରୁ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ।