ସଂସଦରେ ବଜେଟ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିନ୍ଧିଥିଲେ ସମ୍ବଲପୁରୀ ବମକେଇ ଶାଢ଼ି

ପଢ଼ିଲେ ମହାଭାରତ ଶ୍ଳୋକ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ସଂସଦରେ ବଜେଟ ଉପସ୍ଥାପନ କରିବା ସମୟରେ ମାଟିଆ-ଖଇରିଆ ରଙ୍ଗର ସମ୍ବଲପୁରୀ ବମକେଇ ପାଟଶାଢ଼ି ପରିଧାନ କରିଥିଲେ। ଶାଢ଼ିରେ ଧଳା ରଙ୍ଗର ଧଡ଼ି (ବର୍ଡର) ସହିତ ସୁନ୍ଦର ବାନ୍ଧକଳା ରହିଥିଲା। ନିର୍ମଳାଙ୍କ ପାଇଁ ସମ୍ବଲପୁରୀ ଶାଢ଼ି ପିନ୍ଧିବା କିଛି ନୂଆ କଥା ନୁହେଁ। ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ହସ୍ତତନ୍ତ ଓ ସିଲ୍କ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଥାଏ। ସିଲ୍କ ହେଉ ବା କଟନ, ଓଡ଼ିଶା ହସ୍ତତନ୍ତ ଶାଢ଼ି ତାଙ୍କର ପ୍ରିୟ ବୋଲି ସେ ପୂର୍ବରୁ କହିସାରିଛନ୍ତି। ଓଡ଼ିଶା ହସ୍ତତନ୍ତର ତନ୍ତୁ ବିନ୍ୟାସ, ରଙ୍ଗ ଓ ବୟନ କାରୁକାର୍ଯ୍ୟକୁ ନିର୍ମଳା ପ୍ରଶଂସା କରିଥାନ୍ତି। ସେ ସମ୍ବଲପୁରୀ ଶାଢ଼ି ପିନ୍ଧିବାକୁ ଭଲ ପାଆନ୍ତି। ଅର୍ଥମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ କରିବା ସମୟରେ ସେ ଦୁଇ ଥର ସମ୍ବଲପୁରୀ ଶାଢ଼ି ପିନ୍ଧିଛନ୍ତି। ‌୨୦୧୭ ସେପ୍ଟେମ୍ବର ୭ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ନେବା ସମୟରେ ନିର୍ମଳା ସମ୍ବଲପୁରୀ ଶାଢ଼ି ପରିଧାନ କରିଥିଲେ। ୨୦୧୯-୨୦ ସାଧାରଣ ବଜେଟ ଚର୍ଚ୍ଚା ସମୟରେ ସେ ସମ୍ବଲପୁରୀ ଶାଢ଼ି ମଧ୍ୟ ପରିଧାନ କରିଥିଲେ। ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ସମ୍ବଲପୁରୀ ଶାଢ଼ି ପରିଧାନ ଭାରତୀୟ ସଂସ୍କୃତିର ‘ବିବିଧତା ମଧ୍ୟରେ ଏକତା’କୁ ଦର୍ଶାଉଥିଲା ବୋଲି ଫେସନ୍‌ ବିଶେଷଜ୍ଞମାନେ କହିଛନ୍ତି।

ପଢ଼ିଲେ ମହାଭାରତ ଶ୍ଳୋକ
ନୂଆଦିଲ୍ଲୀ : ୨୦୨୨-୨୩ ବର୍ଷ ପାଇଁ ସଂସଦରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦଦିନ ମହାଭାରତ ଶାନ୍ତି ପର୍ବର ୭୨ ଅଧ୍ୟାୟର ୧୧ ତମ ଶ୍ଳୋକ ଉଚ୍ଚାରଣ କରିଛନ୍ତି। ପ୍ରତ୍ୟକ୍ଷ ଟିକସ ସଂକ୍ରାନ୍ତରେ ଭାଷଣ ରଖୁଥିବା ସମୟରେ ନିର୍ମଳା ରାଜଧର୍ମ ସ୍ମରଣ କରି ଏହି ଶ୍ଳୋକର ସାରାଂସ ଉଲ୍ଲେଖ କରିଥିଲେ। ‌ଶ୍ଳୋକର ଅର୍ଥ ହେଉଛି-‘ରାଜା କୌଣସି ପ୍ରକାର ଅବହେଳା ନକରି ଏବଂ ଧର୍ମ ଅନୁରୂପ କାମ କରି କର ଆଦାୟ କରିବା ଉଚିତ୍‌। ଏହା ସହିତ ରାଜଧର୍ମ ଅନୁଯାୟୀ ଶାସନ ବ୍ୟବସ୍ଥା ଲାଗୁକରି ଲୋକଙ୍କ କଲ୍ୟାଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ହେବ। ଯିଏ ଯେତିକି କର ଦେବାକୁ ସକ୍ଷମ ସେତିକି କର ଆଦାୟ କରାଯିବ।’ ଏ ନେଇ ନିର୍ମଳା କହିଛନ୍ତି, ପ୍ରାଚୀନ ଧର୍ମଗ୍ରନ୍ଥରୁ ଜ୍ଞାନ ଆହରଣ କରି ଆମେ ବିକାଶ ପଥରେ ଆଗେଇ ଚାଲିବା। ଚଳିତ ବଜେଟ୍‌ରେ ଆୟକରରେ କୌଣସି ପରିବର୍ତ୍ତନ କରାଯାଇନି। ଆୟକର ଅପରିବର୍ତ୍ତିତ ରହିଛି।

ସମ୍ବନ୍ଧିତ ଖବର