ରପ୍ତାନି କ୍ଷେତ୍ରର ଅଭିବୃଦ୍ଧି ଲାଗି ଅଣ୍ଟାଭିଡ଼ିଲେ ନିର୍ମଳା ସୀତାରମଣ, ୬ଟି ବଡ ପଦକ୍ଷେପ ଘୋଷଣା

ନୂଆଦିଲ୍ଲୀ : ଦେଶ ଏକ ଆର୍ଥିକ ମାନ୍ଦାବସ୍ଥା ଆଡକୁ ଅଗ୍ରସର ହେଉଥିବାରୁ ତାହାର ମୁକାବିଲା ଲାଗି ସରକାର ନିଜର ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥନୀତିରେ ସୁଧାର ଓ ରପ୍ତାନି ବୃଦ୍ଧି ପାଇଁ ଆଉ କେତେକ ପଦକ୍ଷେପ ଘୋଷଣା କରିଛନ୍ତି । ରପ୍ତାନି କ୍ଷେତ୍ର ପାଇଁ ସେ ମୋଟ ୬ଟି ପଦକ୍ଷେପ ଘୋଷଣା କରିଛନ୍ତି । ରପ୍ତାନି ପ୍ରେତ୍ସାହନ ପାଇଁ ଟିକସ ଓ ଶୁଳ୍କ ଫେରସ୍ତ ସ୍କିମକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଇନପୁଟ ଟାକ୍ସ କ୍ରେଡିଟ ପାଇଁ ଅଟୋମେଟେଡ ଇଲେକ୍ଟ୍ରୋନିକ ରିଫଣ୍ଡ ରୁଟ ଘୋଷଣା କରାଯାଇଛି । ଏହା ଚଳିତ ମାସ ଶେଷସୁଦ୍ଧା ଲାଗୁ ହେବ ।  ରପ୍ତାନି ଋଣ ବୀମା ସ୍କିମର ପରିସରକୁ ବୃଦ୍ଧି କରାଯାଇଛି । ରପ୍ତାନୀ ଋଣ ଲାଗି ଅଗ୍ରାଧିକାର କ୍ଷେତ୍ର ଋଣପ୍ରଦାନ ନିୟମରେ ସଂଶୋଧନ କରାଯାଉଛି । ରପ୍ତାନୀ କ୍ଷେତ୍ରକୁ ଯେପରି ଋଣ ପ୍ରଦାନ ବୃଦ୍ଧି ହୋଇପାରିବ ତାହା ବାଣିଜ୍ୟ ମନ୍ତ୍ରାଳୟ ତଦାରଖ କରିବ । ଏହା ସହିତ ଦୁବାଇ ସପିଂ ଫେଷ୍ଟିଭାଲ ଢାଞ୍ଚାରେ ଭାରତରେ ମଧ୍ୟ ୪ଟି ମେଗା ସପିଂ ଫେଷ୍ଟିଭାଲ ଆୟୋଜନ କରାଯିବ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧିରେ ସୁଧାର ଦେଖାଦେଇଛି । ବ୍ୟାଙ୍କମାନେ ରେପୋ ହାର ହ୍ରାସ ଅନୁସାରେ ନିଜର ଋଣସୁଧହାର କମାଇବା ଆରମ୍ଭ କରିଛନ୍ତି । ସୀତାରମଣ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ କେତେକ ବଡ଼ ପଦକ୍ଷେପ ଘୋଷଣା କରିଥିଲେ । ଏଗୁଡ଼ିକ ମଧ୍ୟରେ ବ୍ୟାଙ୍କ ମିଶ୍ରଣ, ଆୟକର ଓ ଟିକସ କ୍ଷେତ୍ରରେ ସଂସ୍କାର ଆଦି ଅନ୍ୟତମ ।

ସମ୍ବନ୍ଧିତ ଖବର