‘ମନରେଗା’ ଉଦାହରଣ ଦେଇ ରାହୁଲ୍‌ ଗାନ୍ଧୀଙ୍କ ‘ଆମେ ଦୁଇ, ଆମର ଦୁଇ’ ମନ୍ତବ୍ୟର ପ୍ରତ୍ୟୁତ୍ତର ଦେଲେ ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍‌ ସଂକ୍ରାନ୍ତରେ ଲୋକସଭାରେ ହୋଇଥିବା ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି ଯେ, ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ସଂସ୍କାର ଗ୍ରହଣ କରିବାରେ ମହାମାରୀ ସରକାରଙ୍କୁ ବାଧା ଦେଇ ପାରି ନାହିଁ।

ଏଥସହ ସେ କୃଷି ଆଇନକୁ ନେଇ ସରକାରଙ୍କୁ ସମାଲୋଚନା କରିବା ଲାଗି ସଂସଦରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ବକ୍ତବ୍ୟ ‘ଆମେ ଦୁଇ, ଆମର ଦୁଇ’ର ପ୍ରତ୍ୟୁତ୍ତର ମଧ୍ୟ ଦେଇଛନ୍ତି।

କାହାରି ନାଁ ନ ଧରି ରାହୁଲ୍‌ ଗାନ୍ଧୀ କହିଥିଲେ, ଦୀର୍ଘ ବର୍ଷ ତଳେ ପରିବାର ନିୟୋଜନର ସ୍ଲୋଗାନ୍‌ ଥିଲା- ଆମେ ଦୁଇ, ଆମର ଦୁଇ। କିନ୍ତୁ, କରୋନା ଯେମିତି ଅନ୍ୟ ରୂପ ଧାରଣ କରି ଫେରିଛି, ଏହି ସ୍ଲୋଗାନ୍‌ ମଧ୍ୟ ସେଭଳି ଫେରିଛି। ଆଜି ଆମେ ଦୁଇ, ଆମର ଦୁଇ ଭାବେ ଚାରିଜଣ ଦେଶ ଚଳାଉଛନ୍ତି।

Image Courtesy of Business Standard

ସେହି ଏକା ସ୍ଲୋଗାନ୍‌ ବ୍ୟବହାର କରି ନିର୍ମଳା ସୀତାରମଣ କହିଲେ, ଖୁବ୍‌ ଉତ୍ତମ ଯୋଜନା କରିଥିଲେ ସୁଦ୍ଧା ସେଗୁଡ଼ିକୁ ଉଚିତ ମାର୍ଗରେ ବ୍ୟବହାର କରିବା ନିମନ୍ତେ କଂଗ୍ରେସର ଇଚ୍ଛାଶକ୍ତି  ଅଭାବ ଥିଲା। ତେଣୁ ଯୋଜନା ସବୁ କେବଳ ବନ୍ଧୁବର୍ଗ ଏବଂ ଆମେ ଦୁଇ ଆମର ଦୁଇଙ୍କୁ ଉପକୃତ କରିବାର ଉପାୟ ପାଲଟି ଯାଇଥିଲା।

‘ମନରେଗା’ ସୃଷ୍ଟି କରିବାର ବାହାଦୁରି କଂଗ୍ରେସର। କିନ୍ତୁ, କେବଳ କାଗଜପତ୍ରରେ ନାମ ଥିବା ଶ୍ରମିକମାନଙ୍କୁ ଟଙ୍କା ଦେଇ ‘ମନରେଗା’କୁ କୁପରିଚାଳିତ କରିଥିବା ବାହାଦୁରି ମଧ୍ୟ କଂଗ୍ରେସର।

ଆଗାମୀ ଦଶନ୍ଧିମାନଙ୍କରେ ଭାରତକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅର୍ଥନୀତି କରିବା ଲାଗି ଏହି ବଜେଟ୍‌ରେ ଆବଶ୍ୟକ ଉପାଦାନ ଓ ସଂସ୍କାର ରହିଛି ବୋଲି ସୀତାରମଣ ଗୁରୁତ୍ୱାରୋପ କରି କହିଛନ୍ତି।

ସମ୍ବନ୍ଧିତ ଖବର