ଢାକା: ବାଂଲାଦେଶରେ ଏବେ ସରକାର ବିରୋଧୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସରକାରୀ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଏବଂ ସେନାର ସରକାର ବିରୋଧୀ ଆଭିମୁଖ୍ୟ ଜଟିଳ ସ୍ଥିତି ସୃଷ୍ଟି କରିଛି। ଶେଖ୍ ହସିନାଙ୍କ ସରକାର ପତନ ପରେ କ୍ଷମତାକୁ ଆସିଥିବା ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ବିରୋଧରେ ଜୋର୍‌ଦାର ଆନ୍ଦୋଳନ ମୁଣ୍ଡ ଟେକିଛି। ଏବେ ଅସନ୍ତୋଷକୁ ଶାନ୍ତ କରିବା ପରିବର୍ତ୍ତେ ୟୁନୁସ ବିଦେଶ ଗସ୍ତରେ ବାହାରିଛନ୍ତି। ସେପଟେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ତତ୍ତ୍ୱାବଧାନରେ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକ ଆଜି  ଢାକାରେ ଏକ ବିଶାଳ ରାଲି  କରିଛନ୍ତି।

Advertisment

ବାଂଲାଦେଶରେ ଅନେକ ଗୋଷ୍ଠୀ ୟୁନୁସ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।  ବିବାଦର କେନ୍ଦ୍ରବିନ୍ଦୁରେ ରହିଛି ସରକାରଙ୍କ ନୂଆ ଆଇନ। ଏହି ଆଇନ ଅନୁଯାୟୀ, କୌଣସି ଆନୁଷ୍ଠାନିକ ବିଭାଗୀୟ ତଦନ୍ତ ବିନା କେବଳ କାରଣ ଦର୍ଶାଅ ନୋଟିସ୍ ଦେଇ ସରକାର ଶୃଙ୍ଖଳାଗତ ଉଲ୍ଲଂଘନ ପାଇଁ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରିପାରିବେ। ଏହି ଆଦେଶ ଜାରି ହେବାମାତ୍ରେ ସମଗ୍ର ଦେଶ ଅଶାନ୍ତ ହୋଇଉଠିଛି। ଇତିମଧ୍ୟରେ ୟୁନୁସ ୪ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି।  ଏହି ଗସ୍ତ ସମୟରେ ସେ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ  ଭେଟିବା କାର୍ଯ୍ୟକ୍ରମ ରହିଛି। ପୁଞ୍ଜିନିବେଶ, ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ୭ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଦେଶରେ ଲାଗି ରହିଥିବା ଅସ୍ଥିରତା ଭିତରେ ବିଏନ୍‌ପି ବଡ଼ ରାଲିର ଆୟୋଜନ କରି ଅନ୍ତରୀଣ ସରକାରକୁ କଡ଼ା ବାର୍ତ୍ତା ଦେଇଛି।